ଆସନ୍ତାକାଲିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ, ଶେଷ ପର୍ଯ୍ୟାୟରେ ପରୀକ୍ଷା ପ୍ରସ୍ତୁତି..

ଓଏଲ୍ ବ୍ୟୁରୋ: ଫେବୃଆରୀ ୨୧ ତାରିଖରୁ ଆରମ୍ଭ ମାଟ୍ରିକ ପରୀକ୍ଷା। ଏହାପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ପ୍ରଶ୍ନପତ୍ର ଲିକ୍କୁ ରୋକିବା ପାଇଁ ଚଳିତବର୍ଷଠୁ ପ୍ରଶ୍ନପତ୍ରରେ ରହିବ ଓ୍ବାଟର ମାର୍କ। ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲକୁ ରୋକିବା ପାଇଁ ଚଳିତଥର ମାଟ୍ରିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ରରେ ଓ୍ବାଟର ମାର୍କ ରଖିବା ନେଇ ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ।
ଆସନ୍ତାକାଲି ମାଟ୍ରିକ୍ ପରୀକ୍ଷା ଥିବା ବେଳେ ଆଜି ଲାଇଭ୍ ଷ୍ଟ୍ରିମିଂର ଡ୍ରାଏ ରନ୍। ଶେଷ ପର୍ଯ୍ୟାୟରେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି, ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଂଚିଛି। ନୋଡାଲ ସେଣ୍ଟର୍ ଓ ସମ୍ବେଦନଶୀଳ କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ହେବ। ଦଶମ ଶ୍ରେଣୀ ପରୀକ୍ଷା ପ୍ରଶ୍ନ ପତ୍ର ଏଣିକି ନମ୍ବରିଂ କରାଯିବା ସହ ପ୍ରଶ୍ନପତ୍ରରେ ଓ୍ବାଟର ମାର୍କ ଲାଗିବ। ବାର୍ କୋଡ୍ ସହ ସିକ୍ୟୁରିଟି କୋଡ୍ ମଧ୍ୟ ରହିବ ଯାହା ଫଳରେ ଭାଇରାଲ ହେଲେ ପ୍ରଶ୍ନପତ୍ର କେଉଁଠୁ ଭାଇରାଲ ହୋଇଛି ଜଣାପଡିବ।
ମୋବାଇଲ କ୍ୟାମେରା କିମ୍ବା ସ୍କାନରରେ ଫଟୋ ଉଠିଲେ ସେହି ଓ୍ବାଟର ମାର୍କ ଆସିଯିବ। ସେହି ପ୍ରଶ୍ନପତ୍ରଟି କେଉଁ ପରୀକ୍ଷାର୍ଥୀଙ୍କର ତାହା ମଧ୍ୟ ଜଣାପଡ଼ିବ। ଏଭଳିକି କେଉଁ ସେଣ୍ଟରର ଓ କେଉଁ ହଲର ତାହା ଜଣାପଡ଼ିଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବୋର୍ଡ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।