ଗୃହରେ ଉଠିଲା ରାସନକାର୍ଡ ପ୍ରସଙ୍ଗ: ଆୟକର ଦାତାଙ୍କୁ ନେଇ ଏମିତି କହିଲେ ବିଧାୟକ..

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ସପ୍ତମ କାର୍ଯ୍ୟ ଦିବସ। ପ୍ରଶ୍ନକାଳ ଆରମ୍ଭ ହୋଇଥିବା ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ସୁରୁଖୁରୁରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଏସବୁ ଭିତରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ, ଇ-କେୱାଇସି ବେଳେ ଆୟକର ଦେଉଥିବା ଲୋକଙ୍କ ରାସନ କାର୍ଡ କଟାଯାଉଛି କିନ୍ତୁ ଅନେକ ଗରିବ ଲୋକ ପିଲାଙ୍କ ପଠାପଢା, ଘର ତିଆରି, ଝିଅ ବାହାଘର ପାଇଁ ଲୋନ କରିବାକୁ ଜିରୋ ରିଟର୍ଣ୍ଣରେ ଇନକମ ଟ୍ୟାକ୍ସ ଫାଇଲ କରୁଛନ୍ତି। ତେଣୁ ସବୁ ବ୍ଲକକୁ ନିର୍ଦ୍ଦେଶ ଦିଆଯାଉ, ଜିରୋ ରିଟର୍ଣ୍ଣ ଇନକମ ଟ୍ୟାକ୍ସ ଫାଇଲ କରୁଥିବା ଲୋକଙ୍କର ରାସନ କାର୍ଡ କଟାନଯାଉ। ତେବେ ଅଧିକ ଆୟ କରି ଅଧିକ ଇନକମ ଟ୍ୟାକ୍ସ ଫାଇଲ କରୁଥିବା ଲୋକଙ୍କୁ ରାସନ୍ କାର୍ଡରୁ ବାଦ ଦିଆଯାଉ ବୋଲି ସେ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୫୦ ହଜାର ୮୨୦ ଜଣ ପିଡିଏସ୍ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ କୋଟି ୯୮ ଲକ୍ଷ ୧୪ ହଜାର ୯୨୧ ପିଡିଏସ୍ ହିତାଧିକାରୀ ଓଡ଼ିଶା ଭିତରେ ଥାଇ ଏବଂ ୧ ଲକ୍ଷ ୩୫ ହଜାର ୮୯୯ ପିଡିଏସ୍ ହିତାଧିକାରୀ ଓଡ଼ିଶା ବାହାରେ ଥାଇ ନିଜ ଇ-କେଓ୍ୱାଇସି କରାଇଛନ୍ତି। ତେବେ ଯାଞ୍ଚ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କୁ ରାସନ କାର୍ଡ ତଥ୍ୟାବଳୀରେ ଚିହ୍ନଟ କରାଯାଇ ବାଦ୍ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ।