ଆସନ୍ତାକାଲି ପାଳନ ହେବ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଓଡ଼ିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି। ତେବେ ପ୍ରତି ବର୍ଷ ଅପ୍ରେଲ ୨୪ ତାରିଖକୁ ଜାତୀୟ ପଞ୍ଚାୟିତରାଜ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପୁରସ୍କାର ପ୍ରଦାନ, ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପୁରସ୍କାର ଆଦି ପ୍ରଦାନ କରାଯାଇଥାଏ।
ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟ ସ୍ତରରେ ଥିବା ଏହି ଅସଂହତି ଦୂର କରିବା ପାଇଁ ଓଡିଶାରେ ମାର୍ଚ୍ଚ ୫ ତାରିଖକୁ ଆଉ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାନଯାଇ ଅପ୍ରେଲ ୨୪ ତାରିଖରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଦିବସ ମଧ୍ୟ ଅପ୍ରେଲ ୨୪ ତାରିଖରେ ପାଳନ କରାଯିବ।
ମାର୍ଚ୍ଚ ୫ ତାରିଖ ହେଉଛି ଓଡିଶାର ମହାନ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହାକୁ ରାଜ୍ୟ ସରକାର ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଭୁବନେଶ୍ୱର ଜୟଦେବ ଭବନରେ ସନ୍ଧ୍ୟା ୭ଟା ସମୟରେ ରାଜ୍ୟ ସ୍ତରୀୟ ସଭାର ଆୟୋଜନ କରାଯାଉଛି। ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି। ଲୋକସେବା ଭବନ ପକ୍ଷରୁ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି।