ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ: ଦିନ ୧୨ଟା ଯାଏଁ ଗୃହ ମୁଲତବୀ

ଓଏଲ୍ ବ୍ୟୁରୋ: ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ ଖର୍ଚ୍ଚ ଦାବି ଆଲୋଚନା ସହିତ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହେବ। ଏହି ଲମ୍ବା ଅବଧି ଭିତରେ ଗୃହରେ ଏକାଧିକ ପ୍ରସଙ୍ଗକୁ ନେଇ ଶାସକ ବିଜେପିକୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଥିବାବେଳେ ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗୃହରେ ବିରୋଧୀଙ୍କ ହୋହଲ୍ଲା ଦେଖିବାକୁ ମିଳିଛି। ପ୍ରବଳ ହଟ୍ଟଗୋଳ କାରଣରୁ ଦିନ ୧୨ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ଅନ୍ୟପଟେ, ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ବିଧାନସଭା ପରିସରରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ନାରୀ ଅସୁରକ୍ଷିତ ଅଭିଯୋଗରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଧାନସଭା ପରିସର ଗାନ୍ଧି ମୂର୍ତ୍ତି ତଳେ କଂଗ୍ରେସ ଧାରଣା ଦେଇଥିବା ଦେଖିବାକୁ ମିଳିଛି।