Odisha Link
Bridging the Missing Links in Odisha

ଶ୍ରମିକ ଦିବସରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ: ୫୦ କୋଟିରୁ ଉର୍ଦ୍ଧ୍ବ ସହାୟତା ରାଶି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ। ମେ’ ୧କୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ। ଆନ୍ତର୍ଜାତିକ ଶ୍ରମିକ ଦିବସ ଭୁବନେଶ୍ଵରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ ଆପ୍ ର ଲୋକାର୍ପଣ କରିଛନ୍ତି ଏହାସହ ବିଭିନ୍ନ କଲ୍ୟାଣ ବୋର୍ଡ ଜରିଆରେ ୫୦ କୋଟିରୁ ଉର୍ଦ୍ଧ୍ବ ସହାୟତା ରାଶି ବଣ୍ଟନ ସହ ଭୁବନେଶ୍ଵର ଅନ୍ତର୍ଗତ ଡୁମୁଡୁମା ଓ କଳ୍ପନାଠାରେ ଦୁଇଟି ଶ୍ରମିକ ପ୍ରତୀକ୍ଷା କେନ୍ଦ୍ରର ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶ୍ରମିକ ମାନଙ୍କ ପାଇଁ ସରକାର କାର୍ଯ୍ୟକାରୀ କରୁଥିବା ବିବିଧ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ପ୍ରବାସୀ ଶ୍ରମିକ ସମସ୍ୟା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ରାଜ୍ୟର ନୂଆପଡ଼ା, ବଲାଙ୍ଗୀର, ଗଞ୍ଜାମ ପରି ଜିଲ୍ଲାରୁ ସର୍ବାଧିକ ପ୍ରବାସୀ ଶ୍ରମିକ କାମ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। ସେଠାରେ ବିଭିନ୍ନ ସମୟରେ ସେମାନଙ୍କୁ ବିଭିନ୍ନ ସମସ୍ୟା, ନିର୍ଯାତନାର ସମ୍ମୁଖୀନ ହେବାକୁ ପଡୁଛି।

ସେମାନଙ୍କ ପଞ୍ଜିକରଣ ମଧ୍ୟ ସଠିକ ସଂଖ୍ୟାରେ କରାଯାଇ ପାରିନାହିଁ। ଅତଏବ,ପ୍ରବାସୀ ଶ୍ରମିକଙ୍କ ଚିହ୍ନଟ, ପଞ୍ଜିକରଣ ସହ ସେମାନଙ୍କ ସୁବିଧା ସୁଯୋଗ ପାଇଁ ରାଜ୍ୟ ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଖୁବଶୀଘ୍ର ପ୍ରବାସୀ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ଆମେ ସ୍ଵତନ୍ତ୍ର ନୀତି ଆଣିବୁ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ରାଜ୍ୟ ସରକାର ୧୩ ଲକ୍ଷ କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷର କରିଥିବା ବେଳେ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୩ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ। ଅର୍ଥାତ ରାଜ୍ୟରେ ହିଁ ଶ୍ରମିକ ମାନଙ୍କୁ ସେମାନଙ୍କ ଦକ୍ଷତା ଅନୁଯାୟୀ କର୍ମନିଯୁକ୍ତି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଅଭିଭାଷଣରେ ଶ୍ରମିକଙ୍କ ଆନ୍ଦୋଳନ ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି।

ଶ୍ରମିକଙ୍କ ଦାବି ଯୁକ୍ତିଯୁକ୍ତ ଏବଂ ବ୍ୟବହାରିକ ହେବା ଆବଶ୍ୟକ। ଆମ ସରକାର ସମ୍ବେଦନଶିଳ ସରକାର, ସେମାନଙ୍କ ଦାବି ନିଶ୍ଚିତ ଶୁଣିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରମିକ ନେତାଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ମୁଖ୍ୟ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ।