ନୂଆ NAC ଓ ମ୍ୟୁନିସିପାଲିଟି ପାଇଁ ପ୍ରକ୍ରିୟା ଆରମ୍ଭ, ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବାକୁ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ନୂଆ NAC ଓ ମ୍ୟୁନିସିପାଲିଟି ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ NACରୁ ମ୍ୟୁନିସିପାଲିଟି ହେବ ପୋଲସରା। ପୋଲସରା NACର କାର୍ଯ୍ୟକାରୀ ଅଫିସରଙ୍କୁ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପକ୍ଷରୁ ଚିଠି କରାଯାଇଛି। ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ ହୋଇଛି।
ସୂଚନା ଅନୁସାରେ, ପୂର୍ବ ସରକାରରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଥିଲେ। ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି, ବଲାଙ୍ଗିରର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ବରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ କଳାହାଣ୍ଡିର ନର୍ଲା ଓ ମଦନପୁର ରାମପୁର ଖୋର୍ଦ୍ଧାର ବୋଲଗଡ ନୟାଗଡ଼ର ଶରଣକୁଳ, ପୁରୀର ସାକ୍ଷୀଗୋପାଳ ଓ କାକଟପୁର,ସମ୍ବଲପୁରର ରେଙ୍ଗାଲି ଓ ବାମଣ୍ଡା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା, ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ କରାଯାଇଥିଲା।