Odisha Link
Bridging the Missing Links in Odisha

ଲକ୍ଷପତି ଦିଦି ଏକ ଯୋଜନା ନୁହେଁ ବରଂ ଏହା ବଦଳୁଥିବା ଭାରତର ପ୍ରତିଛବି: ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ସଫଳତାକୁ ସମର୍ଥନ ଏବଂ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’ ଆୟୋଜିତ ହୋଇଯାଇଛି। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମହିଳାଙ୍କ ସ୍ଵବାଲମ୍ବିତା ତଥା ଶସକ୍ତିକରଣ ପାଇଁ ନେଉଥିବା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ସମ୍ମିଳନୀରେ ୨୫ଟି ରାଜ୍ୟରୁ ଆସିଥିବା ଲକ୍ଷପତି ଦିଦିଙ୍କୁ ମୁଁ ସ୍ବାଗତ କରୁଛି। ଏକ ପ୍ରଗତିଶୀଳ ସମାଜ ଆଧାର ମହିଳାମାନେ ହିଁ ଅଟନ୍ତି। ଦେଶର ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣିବାରେ ଆପଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଆଜିର ସମ୍ମିଳନୀ କେବଳ ଏକ ସମାରୋହ ନୁହେଁ, ବରଂ ଏହା ଏକ ଏପରି ଆନ୍ଦୋଳନ ଯାହା ଗ୍ରାମୀଣ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସମ୍ବୋଧନରେ ଏହି ଯୋଜନା ମହିଳା ଶଶକ୍ତିକରଣ ସହ ଲକ୍ଷପତି ଦିଦି ଦୃଷ୍ଟିରେ ସହାୟକ ହେବ ବୋଲି କହିଥିଲେ । ଯାହା ଆଜି ସତ ପ୍ରମାଣିତ ହୋଇଛି । ମାତ୍ର ଏକ ବର୍ଷ ମଧ୍ୟରେ ରାଜ୍ୟରେ ୧୬ ଲକ୍ଷ ୪୦ ହଜାର ଲକ୍ଷପତି ଦିଦି ସୃଷ୍ଟି ହୋଇପାରିଛନ୍ତି। ଲକ୍ଷପତି ଦିଦି ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏହା ଏକ କେବଳ ଜନକଲ୍ୟାଣକାରୀ ଯୋଜନା ନୁହେଁ, ବରଂ ଏକ ସମାବେଶୀ ଓ ସ୍ଥାୟୀ ବିକାଶର ରଣନୀତି ଅଟେ । ମହିଳା ଶସକ୍ତିକରଣ ମାତ୍ର ଏକ ସ୍ଲୋଗାନ ନୁହେଁ, ଦେଶର ଅଧା ଜନସଂଖ୍ୟା ପ୍ରତି ଆମର ପ୍ରତିବଦ୍ଧତା ଅଟେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ରାଜ୍ୟରେ ମହିଳାଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଛୁ ।

ଏଯାବତ୍ ମୋଟ ୧୭୫୦୦ କୋଟି ଟଙ୍କାର ଋଣ ମହିଳାଙ୍କୁ ପ୍ରଦାନ କରାଯାଇଛି , ଯାହା ଲକ୍ଷପତି ଦିଦି ସୃଷ୍ଟି ରେ ସହାୟକ ହୋଇଛି । ସେହିପରି ମହିଳା ସହାୟତା ପାଇଁ ଉଦ୍ଦିଷ୍ଟ ରିଭଲ ବିଂ ପାଣ୍ଠିକୁ ୧୫ ହଜାରରୁ ୩୦ ହଜାର ଏବଂ ଶିଆଇଏଫ ପାଣ୍ଠିକୁ ୩୫ ଲକ୍ଷରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ନିଜ ଅଭିଭାଷଣରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ମହିଳାମାନଙ୍କ ସଶକ୍ତିକରଣ ପାଇଁ ମୂଖ୍ୟମନ୍ତ୍ରୀ ପ୍ରତିବଦ୍ଧତାର ସହ କାମ କରୁଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦିଙ୍କ ଉପରେ ଆଧାରିତ କଫି ଟେବୁଲ୍ ବୁକର ଉନ୍ମୋଚନ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦିମାନଙ୍କୁ ପ୍ରୋତ୍ସାହନ ଦେବା ସହ ସମ୍ମାନିତ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀରେ ଦେଶର ୨୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷପତି ଦିଦିଙ୍କ ସମେତ ସରକାରୀ ଅଧିକାରୀ, ଜାତିସଂଘ ପ୍ରତିଷ୍ଠାନ, ଜାତୀୟ ଗ୍ରାମୀଣ ଜୀବିକା ମିଶନ ଏବଂ ବିଭିନ୍ନ ରାଜ୍ୟ ଜୀବିକା ମିଶନର ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ବିଭିନ୍ନ ରାଜ୍ୟରୁ ଆସିଥିବା ଲକ୍ଷପତି ଦିଦିମାନେ ସେମାନଙ୍କର ସଫଳତା ଏବଂ ନିରନ୍ତର ଯାତ୍ରାର କାହାଣୀ ବର୍ଣ୍ଣନା କରିଛନ୍ତି ।