ପରଲୋକରେ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ

ଓଏଲ୍ ବ୍ୟୁରୋ: ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ। କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିବା କାରଣରୁ ଚିକିତ୍ସା ଜାରି ରହିଥିଲା। ଗତକାଲି ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଲ୍ଟି ଅର୍ଗାନ ଫେଲର ହେବା କାରଣରୁ ସେ ଦୀର୍ଘଦିନ ଧରି ଚିକିତ୍ସିତ ଅବସ୍ଥାରେ ରହିଥିଲେ। ତେବେ ଆଜି ଭୋରରୁ ସେ ପ୍ରାଣ ହରାଇଛନ୍ତି।
ମୋଟ ୩ ଥର କାମାକ୍ଷାନଗରରୁ ସେ ବିଧାୟକ ହୋଇଥିଲେ। ଓଡ଼ିଶାରେ ବିଜେପିର ମୂଳଦୂଆ ପକାଇବାରେ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ମାତ୍ର ୨୮ ବର୍ଷ ବୟସରେ ସେ ବିଧାୟକ ହୋଇଥିଲେ। ଛାତ୍ର ଜୀବନରୁ ହିଁ ସେ ରାଜନୀତିକୁ ଆସିଥିଲେ। ୧୯୭୭ ମସିହାରେ ପ୍ରଥମେ ଜନତା ପାର୍ଟି ତରଫରୁ ପ୍ରସନ୍ନ କୁମାର ପଟ୍ଟନାୟକ ବିଜୟି ହୋଇଥିଲେ। ଏହା ପରେ ୧୯୮୫ରେ ଦଳ ବଦଳାଇ ବିଜେପି ଦଳରୁ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ସେହିପରି ୧୯୯୦ ମସିହାରେ ପୁଣି ଦଳ ବଦଳାଇ ଜନତା ଦଳରୁ ବିଜୟି ହୋଇଥିଲେ ପ୍ରସନ୍ନ ପଟ୍ଟନାୟକ। ଶେଷଥର ପାଇଁ ୨୦୧୪ ମସିହାରେ ବିଜେପି ଦଳ ତରଫରୁ ଟିକେଟ ପାଇଥିଲେ ମଧ୍ୟ ସେ ହାରି ଯାଇଥିଲେ।