ଆଜି ସନ୍ଧ୍ୟାରେ ଆଇପିଏଲ୍ ୨୦୨୫ର ଫାଇନାଲ୍ ମ୍ୟାଚ୍: ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଓ ପଞ୍ଜାବ

ଓଏଲ୍ ବ୍ୟୁରୋ: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଆଇପିଏଲ୍ ୨୦୨୫ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ ରେ ଆରମ୍ଭ ହୋଇଥିଲା, ପ୍ରାୟ ଅଢ଼େଇ ମାସ ପରେ ଏବେ ଏହା ଫାଇନାଲ ପର୍ଯ୍ୟାୟରେ ପହଂଚି ସାରିଛି। ଲିଗ୍ ପର୍ଯ୍ୟାୟ ଏବଂ ପ୍ଲେଅଫ୍ ମ୍ୟାଚ୍ ର ଚ୍ୟାଲେଞ୍ଜକୁ ଅତିକ୍ରମ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ୍ ଟାଇଟଲ୍ ମୁକାବିଲାରେ ପ୍ରବେଶ କରିଛନ୍ତି। ଟାଇଟଲ୍ ପାଇଁ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ। ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସଂଧ୍ୟା ସାଢ଼େ ୭ଟାରେ ମ୍ୟାଚ୍ ରହିଛି।
ଉଭୟ ଟିମ୍ ୯ଟି ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ପଞ୍ଜାବ ପଏଣ୍ଟ ଟେବୁଲର ୧ ନମ୍ବର ସ୍ଥାନରେ ରହିଛି। ଆରସିବି ଦ୍ବିତୀୟ ସ୍ଥାନରେ ରହିଛି। ତେବେ ଲିଗ୍ ମ୍ୟାଚରେ ଉଭୟ ଟିମ୍ ର ଦମଦାର ପ୍ରଦର୍ଶନ ରହିଥିଲା। ତେଣୁ ଫାଇନାଲରେ କଡ଼ା ଟକ୍କର ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି। ଉଭୟ ଟିମ୍ ଭିତରୁ ଯିଏ ବି ବିଜୟୀ ହେବେ ପ୍ରଥମ ଥର ଲାଗି ଆଇପିଏଲ୍ ଟ୍ରଫି ଜିତିବେ। ଆରସିବି କି ପଞ୍ଜାବ ପୂର୍ବରୁ କେବେ ହେଲେ ଆଇପିଏଲ୍ ଟ୍ରଫି ଜିତି ନାହାନ୍ତି। କିନ୍ତୁ ପଞ୍ଜାବ କିଙ୍ଗ୍ସ ୨୦୧୪ରେ ଫାଇନାଲ ଖେଳି କୋଲକାତା ନାଇଟ ରାଇଡର୍ସଠାରୁ ପରାସ୍ତ ହେବା ପରେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦୦୯, ୨୦୧୧ ଓ ୨୦୧୬ ପରେ ଚତୁର୍ଥ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି । ତେବେ ଏଥର ଆଇପିଏଲ ମୁକୁଟ ହାସଲ କରିବ ତାହା ଦେଖିବାକୁ ବାକି ରହିଲା ।