ଇସ୍ତାହାର ପ୍ରକାଶ କଲା କଂଗ୍ରେସ; ପ୍ରଭାବିତ ହେବ କି ମୋଦି ମ୍ୟାଜିକ୍!

ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ ଲୋକସଭା ନିର୍ବାଚନ ନେଇ ଇସ୍ତାହାର ପ୍ରକାଶ କଲା କଂଗ୍ରେସ। ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଇସ୍ତାହାର ଜାରି କରାଯାଇଛି। ନିର୍ବାଚନ ଇସ୍ତାହାରରେ ବିଭିନ୍ନ ଗ୍ୟାରେଣ୍ଟି ନେଇ ପ୍ରତିଶ୍ରୁତି ଦେଇଛି। କଂଗ୍ରେସ ସଭାପତି ଖଡ୍ଗେ, ସୋନିଆ ଗାନ୍ଧି ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତରେ କଂଗ୍ରେସ ନିର୍ବାଚନ ଇସ୍ତାହାର ଜାରି କରିଛି। କଂଗ୍ରେସ ଘୋଷଣା କଲା ଦେଲା ୨୫ ଗ୍ୟାରେଣ୍ଟି, ୫ ନ୍ୟାୟ ପ୍ରତିଶ୍ରୁତି। ମହିଳା, ଯୁବକ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ‘ନ୍ୟାୟ ପତ୍ର’ ନାଁରେ ଇସ୍ତାହାର ଘୋଷଣା କରିଛି କଂଗ୍ରେସ। ଏହି ଇସ୍ତାହାର ଅନୁସାରେ ଘୋଷଣାପତ୍ରରେ ଦଳ ୫ ନ୍ୟାୟ –‘ ଭାଗିଦାରୀ ନ୍ୟାୟ’, କୃଷକ ନ୍ୟାୟ, ନାରୀ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଯୁବ ନ୍ୟାୟକୁ ସାମିଲ କରିଛି।
କଂଗ୍ରେସ ପ୍ରତିଶ୍ରୁତି ଦେଇଛି, ଏସସି, ଏସଟି ଓ ଓବିସି ପାଇଁ ସଂରକ୍ଷଣ ସୀମାକୁ ୫୦- ପ୍ରତିଶତକୁ ବୃଦ୍ଧି କରାଯିବ। ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ରହିବ। ଘର ନିର୍ମାଣ , ବ୍ୟବସାୟ କରିବାକୁ ଏସସି , ଏସଟି ବର୍ଗଙ୍କ ପାଇଁ ସଂସ୍ଥାଗତ ଋଣ ରାଣି ବୃଦ୍ଧି କରାଯିବ। ଓବିସି, ଏସସି, ଏସଟି ଛାତ୍ର ଛାତ୍ରୀଙ୍କ ପାଇଁ ସ୍କଲାରସିପ ରାଶିକୁ ୨ ଗୁଣା ବଢଯିବ । ବିଶେଷ କରି ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ଲାଗୁ କରାଯିବ। ଗରିବ, ଓ ଏସସି ,ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆବାସିକ ବିଦ୍ୟାଳୟ ବ୍ୟବସ୍ଥାର ନେଟୱାର୍କ କରାଯିବ।
ଏହାସହ ‘ଶ୍ରମ ନ୍ୟାୟ’ ଆଧାରରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅଧିକାର, ଦୈନିକ ସର୍ବନିମ୍ନ ମଜୁରି ୪୦୦ ଟଙ୍କା ସୁନିଶ୍ଚିତ କରିବା ଏବଂ ସହରାଂଚଳରେ ରୋଜଗାରର ଗ୍ୟାରେଂଟି ଦେବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ଏହା ସହ ‘ମହିଳା ନ୍ୟାୟ’ ଅଧୀନରେ ମହାଲକ୍ଷ୍ମୀ ଗ୍ୟାରେଂଟି ଅଧୀନରେ ଗରିବ ପରିବାରର ମହିଳାମାନେ ବାର୍ଷିକ ଏକ ଲକ୍ଷ ଟଙ୍କା ଦେବା ସହ ଅନେକ ପ୍ରତିଶ୍ରୁତି ଦେଇଛି କଂଗ୍ରେସ। ଦଳ କ୍ଷମତାକୁ ଆସିଲେ କେନ୍ଦ୍ର ସରକାରରେ ବର୍ଷକୁ ୩୦ ଲକ୍ଷ ନିଯୁକ୍ତି, ଗରିବ ପରିବାରର ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା, ଜାତିଗତ ଜନଗଣନା, ଏମଏସପିକୁ ଆଇନଗତ ମାନ୍ୟତା, ମନରେଗା ମଜୁରି ୪୦୦ ଟଙ୍କା, ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ରୋକିବା ଏବଂ ପିଏମଏଲଏ ଆଇନରେ ପରିବର୍ତ୍ତନ ପାଇଁ ଘୋଷଣା କରାଯାଇଛି। କଂଗ୍ରେସର ଇସ୍ତାହାର ଦଳର ପାଂଚ ଜଣ ବିଚାରପତିଙ୍କୁ ଆଧାର କରି ପ୍ରସ୍ତୁତ ହୋଇଛି।
ଇସ୍ତାହାର ପ୍ରକାଶ ପାଇବା ପୂର୍ବରୁ କଂଗ୍ରେସ ଘର ଘର ବୁଲି ଗ୍ୟାରେଂଟି ଅଭିଯାନ ଆରମ୍ଭ କରିଥିଲା। ଏହି ଅଭିଯାନର ଏକ ଅଂଶ ଭାବରେ କଂଗ୍ରେସ କର୍ମୀମାନେ ଆସନ୍ତା କିଛି ସପ୍ତାହ ମଧ୍ୟରେ ସମଗ୍ର ଭାରତରେ ୮ କୋଟି ପରିବାରକୁ ୧୪ଟି ଭିନ୍ନ ଭିନ୍ନ ଭାଷାରେ ଛପାଯାଇଥିବା କାର୍ଡ ବାଂଟିବେ। ତେବେ କଂଗ୍ରେସ ଦେଇଥିବା ଏହି ଗ୍ୟାରେଂଟି ଦ୍ୱାରା ମୋଦି ମ୍ୟାଜିକରେ କେତେ ଦୂର ପ୍ରଭାବ ପଡିବ ତାହା ଦେଖିବାକୁ ବାକି ରହିଲା।