ବିରୋଧୀଙ୍କ ଉପରେ ବର୍ଷିଲେ ଭି.କେ ପାଣ୍ଡିଆନ; କହିଲେ…

ଓଏଲ୍ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ବିଜେପିକୁ କଡା ସମାଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ।
ଅମିତ ଶାହାଙ୍କ ମନ୍ତବ୍ୟ ଉପରେ ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭି.କେ ପାଣ୍ଡିଆନ କହିଛନ୍ତି ଯେ, ବିଜେପି ୨୦୧୪ରେ ୧୨୦ଟି ବିଧାନସଭା ଆସନ, ୨୦୧୯ ନିର୍ବାଚନରେ ୯୦ଟି ଆସନ ଘୋଷଣା କରିଥିଲେ। ବର୍ତ୍ତମାନ ସେମାନେ କୌଣସି ସଂଖ୍ୟା ଦେଉ ନାହାଁନ୍ତି। ମୁଁ କେବଳ ଆନ୍ତରିକତାର ସହ ଅନୁରୋଧ କରିବି ଯେ ଓଡିଶାର ଲୋକମାନେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରାକୁ ଅପେକ୍ଷା କରିଛନ୍ତି କାରଣ କେନ୍ଦ୍ରୀୟ ନେତୃତ୍ୱ କହିଛନ୍ତି ଯେ, ସେମାନେ ଏକ ଯୁବକ, ଗତିଶୀଳ, ସ୍ମାର୍ଟ, ଭଲ ଦିଶୁଥିବା, ଦ୍ରୁତ କାର୍ଯ୍ୟରତ ବ୍ୟକ୍ତିକୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବେ।
ସେ ଆହୁରି ମଧ୍ୟ କହିଛନ୍ତି, ୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାବାସୀ ବିଦାୟ ଦେଉଥିବା କହିଥିଲେ ମୋଦି। କେନ୍ଦ୍ରାପଡ଼ାର ଏକ ସଭାକୁ ସମ୍ବୋଧିତ କରି ଏହା କହିଥିଲେ। ମୋଦିଙ୍କ ବୟାନର ୨ ଘଣ୍ଟା ପରେ ଜବାବ ଦେଇଥିଲେ ମୁଖ୍ୟମନ୍ତ୍ରୀ। ୨ଟି ପର୍ଯ୍ୟାୟ ନିର୍ବାଚନରେ ବିଜେଡିକୁ ବହୁମତ ମିଳିଛି ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ ମଧ୍ୟ କରିଥିଲେ। ଚଳିତ ନିର୍ବାଚନରେ ମଧ୍ୟ ସେହିପରି ହେବ। ବିଜେପି କର୍ମୀଙ୍କ ମନବଳ ବଢ଼ାଇବାକୁ କେନ୍ଦ୍ରୀୟ ନେତୃତ୍ୱ ବଡ଼ ବଡ଼ କଥା କହୁଛନ୍ତି। ହେଲେ ନବୀନ ପଟ୍ଟନାୟିକ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ଏବଂ ସଂଖ୍ୟା ଗରିଷ୍ଠତା ହାସଲ କରିବେ ବୋଲି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି।