ସ୍ୱର୍ଗଦ୍ୱାରରେ ଘସିରେ ହେବ ଶବହାଦ, ପ୍ରତିକ୍ରିୟା ଦେଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ପୁରୀ ସ୍ଥିତ ସ୍ୱର୍ଗଦ୍ୱାରରେ ଘସିରେ ହେବ ଶବହାଦ। ଏନେଇ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସ୍ୱର୍ଗଦ୍ୱାରରେ ଘସିରେ ହେବ ଶବହାଦ। ହିନ୍ଦୁ ଶାସ୍ତ୍ର ଅନୁଯାଇ ଗୋବରକୁ ଶବ ଦାହରେ ବ୍ୟବହାର କରାଯିବ। ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ବିଭିନ୍ନ ସାମାଜିକ ଅନୁଷ୍ଠାନ, ଗୋଶାଳା କରିଥିବା ବ୍ୟକ୍ତି ସହ ଆଲୋଚନା କରାଯିବ।ବିଚାର ବିମର୍ଶ କରି ପଦକ୍ଷେପ ନେବେ ସରକାର। ଗୋ ମୁତ୍ର ଓ ଗୋବରର ସଦୁପଯୋଗ ଚିନ୍ତା କରାଯାଉଛି। ବର୍ତ୍ତମାନ ସ୍ୱର୍ଗଦ୍ୱାରରେ କାଠ ସାହାଯ୍ୟରେ ଶବଦାହ ହେଉଛି।
ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧିକୁ ବି ସରକାର ଗୁରୁତ୍ବ ଦେଉଛନ୍ତି। ଗୋ ସୁରକ୍ଷା ଓ ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ ଗଠିତ ହେବ କମିଟି, ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ । ଗୋମାତା ସୁରକ୍ଷା,ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର କାମଧେନୁ ଯୋଜନା ଆରମ୍ଭ କରିଛନ୍ତି ।
ସୂଚନା ଅନୁସାରେ, ପୂର୍ବରୁ ସ୍ୱର୍ଗଦ୍ୱାରର ନବକଳେବର ନିମନ୍ତେ ପାଞ୍ଚ କୋଟିର ପ୍ୟାକେଜ ଘୋଷଣା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ ମଧ୍ୟ ସ୍ୱର୍ଗଦ୍ୱାରରୁ ହଟିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ସ୍ୱର୍ଗଦ୍ୱାରରେ ଶବ ବାହକ ଓ ଶବଦାହ ପାଇଁ ସମ୍ପୂର୍ଣ ଅତ୍ୟାଧୁନୀକ ବ୍ୟବସ୍ଥା ସହ ଶବ ବାହକମାନଙ୍କ ସୁବିଧା ପାଇଁ ବିଶ୍ରାମକକ୍ଷ ନିର୍ମାଣ ହେବାକୁ ଥିବାବେଳ ସବୁ ସମୟରେ କିଭଳି ଏଠାରେ ସୁବିଧାରେ ଶବଦାହ କରିହେବ ସେନେଇ ସବୁ ଅନୁକୁଳ ବ୍ୟବସ୍ଥା ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ପରେ ବଦଳିଥିଲା ସ୍ୱର୍ଗଦ୍ୱାରର ଚିତ୍ର। ବିଶ୍ରାମକକ୍ଷ ନିର୍ମାଣ ମଧ୍ୟ ହୋଇଛି।