Odisha Link
Bridging the Missing Links in Odisha

କିଟ୍‌ ଛାତ୍ରୀ ମୃତ୍ୟୁ ମାମଲା: ନେପାଳ ମନ୍ତ୍ରୀଙ୍କ ଉଦ୍‌ବେଗ

ଓଏଲ୍‌ ବ୍ୟୁରୋ: କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ବିଶ୍ବବିଦ୍ୟାଳୟରେ ପୁଣି ଏକ ବଡ଼ଧରଣର ଅଘଟଣ ଘଟିଛି। ଏଠାରେ ପଢୁଥିବା ଜଣେ ବିଦେଶୀ ଛାତ୍ରୀ ଜୀବନ ହାରିଥିବା ନେଇ ଗୁରୁବାର ସନ୍ଧ୍ୟାରେ ସୂଚନା ମିଳିଛି। ମୃତ ଛାତ୍ରୀ ପ୍ରୀଶା ଶାହ ନେପାଳର ବୀରଗୁଂଜର ବାସିନ୍ଦା। ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କିଟ୍‌ ଛାତ୍ରୀନିବାସ ଭିତରେ ନେପାଳୀ ଛାତ୍ରୀ ଜୀବନ ହରାଇଥିବା ନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବାଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଘଟଣାର ସତ୍ୟତା ଯାଞ୍ଚ୍ ନେଇ ଟ୍ବିଟ୍ କରିଛନ୍ତି । ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ନେପାଳ ମନ୍ତ୍ରୀ। ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ ବୋଲି ସେ କହିଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ, ନେପାଳର ଛାତ୍ରୀ ପ୍ରୀଶା ଶାହ କିଟ୍‌ରେ ଇଂଜିନିୟରିଂ ପଢୁଥିଲେ। ସେ କମ୍ପ୍ୟୁଟର ସାଇନ୍ସ ବିଷୟରେ ପ୍ରଥମ ବର୍ଷର ଛାତ୍ର ଥିଲେ ଏବଂ ଛାତ୍ରାବାସରେ ରହୁଥିଲେ ବୋଲି କୁହାଯାଉଛି। କ୍ୟାମ୍ପସ୍‌ରେ ଛାତ୍ରୀ ଜଣକ ଜୀବନ ହାରିଛନ୍ତି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଏଯାଏଁ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ।