Odisha Link
Bridging the Missing Links in Odisha

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଦଳିଛି ପାଗ। ମୌସୁମୀ କେରଳ ସ୍ପର୍ଶ କରିଥିବାବେଳେ ଆଜି ପଶ୍ଚିମ କେନ୍ଦ୍ରୀୟ ଓ ତାର ପା‍ର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଲଘୁଚାପ ସୃଷ୍ଟି ହେବାର ୨ଦିନ ଭିତରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ନେଇ ପୂର୍ବାନୁମାନ କରିଛି ବିଭାଗ। ଏହାରି ପ୍ରଭାବରେ ମେ ୨୯ରୁ ଜୁନ ୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ। ସକ୍ରିୟ ରହିଲେ ଓଡ଼ିଶାରେ ମୌସୁମୀ ଆଗମନ ନେଇ ସ୍ଥିତି ଅନୁକୂଳ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅନ୍ୟପଟେ, ରାଜ୍ୟରେ କାଳବୈଶାଖୀ ସହ ପ୍ରାକ ମୌସୁମୀ ବର୍ଷା ବିଭିନ୍ନ ସ୍ଥାନରେ ହେଉଥିବାବେଳେ ଆଗାମୀ ୫ଦିନ ଯାଏ ବର୍ଷା ଲାଗିରହିବ। କାଳବୈଶାଖୀ ନେଇ ଆଜି ପାଇଁ ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହିସବୁ ଜିଲ୍ଲାରେ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।