ଶୃଙ୍ଖଳିତ ରଥଯାତ୍ରା ପାଇଁ ଆଜି ବସିବ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆଇନମନ୍ତ୍ରୀ

ଓଏଲ୍ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଂଚଳ ଶ୍ରୀକ୍ଷେତ୍ର। ଆଉ ୨ ସପ୍ତାହ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ରଥଯାତ୍ରାର ଦ୍ୱିତୀୟ ସମନ୍ବୟ ବୈଠକ। ଆସନ୍ତା ଜୁନ୍ ୨୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରାଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟାରେ ପୁରୀ ପୌରସଦନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ କରିବେ।
ଏହା ପୂର୍ବରୁ ଆରଡିସିଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରଥମ ରଥ ସମନ୍ୱୟ କମିଟି ବୈଠକରେ ଏନେଇ ସବୁ ଅଧିକାରୀଙ୍କୁ ଡେଡ୍ଲାଇନ ଦିଆଯାଇଥିଲା। ରଥନିର୍ମାଣଠାରୁ ଆରମ୍ଭ କରି ରଥଯାତ୍ରା କିଭଳି ଶୃଙ୍ଖଳିତ ହୋଇପାରିବ, ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଆଇନ ବ୍ୟବସ୍ଥା ଓ ରଥଯାତ୍ରାକୁ ନେଇ ସମସ୍ତ ବ୍ୟବସ୍ଥାବଳୀ ଉପରେ ବୈଠକରେ ଆଲୋଚନା ହେବ।