ରାଜ୍ୟରେ କରୋନା ଭୟ: ୫୦ ଟପିଲା ସଂକ୍ରମଣ ସଂଖ୍ୟା

ଓଏଲ୍ ବ୍ୟୁରୋ: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଛି। ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୫୦ ଟପିଲା। ସୋମବାର ଆଉ ୭ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ଏଥିସହ ଚଳିତ ବର୍ଷ ରାଜ୍ୟର ମୋଟ୍ କୋଭିଡ୍ ରୋଗୀଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି। ସେହିପରି ସୋମବାର ୫ ଜଣ ରୋଗୀ ସୁସ୍ଥ ହେବା ସହ ବର୍ତ୍ତମାନ ସୁଦ୍ଧା ମୋଟ ୨୦ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।
ଫଳରେ ରାଜ୍ୟରେ ଏବେ ୩୬ଜଣ ସକ୍ରିୟ କୋଭିଡ ରୋଗୀ ଅଛନ୍ତି। କୋଭିଡ-୧୯ କିମ୍ବା ଫ୍ଲୁ ଭଳି ରୋଗର ଲକ୍ଷଣ ଥିଲେ ଘରେ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଲକ୍ଷଣ ଅନୁଭବ କଲେ ସମାବେଶରୁ ଦୂରେଇ ରହିବା ସହ ନିଜକୁ ଅଲଗା ରଖିବା ଉଚିତ୍ ବୋଲି ସେ କହିଛନ୍ତି। ନୂତନ ଷ୍ଟ୍ରେନ ଅଧିକ ବିପଦପୂର୍ଣ୍ଣ ହୋଇ ନଥିଲେ ବି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ସ୍ଥିତିକୁ ଦେଖି ପବ୍ଲିକ୍ ଆଡଭାଇଜରୀ ଜାରି କରିଛନ୍ତି କେନ୍ଦ୍ର ସରକାର। ଅକ୍ସିଜେନ୍, ଆଇସୋଲେସନ ବେଡ୍, ଭେଣ୍ଟିଲେଟର ଓ ଆବଶ୍ୟକୀୟ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ ଶହ ଶହ ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟଗୁଡ଼ିକ ସହ ବୈଠକ ପରେ କୋଭିଡ୍ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର।