ମହାରାଷ୍ଟ୍ର: ଛିଣ୍ଡୁନି ଅଙ୍କ, ହେବ ରାଷ୍ଟ୍ରପତି ଶାସନ!

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଦିନ ପରେ ଦିନ ଗଡ଼ି ଚାଲୁଛି ହେଲେ ସରକାର କିଏ ଗଢ଼ିବ ସେ ନେଇ ଛିଣ୍ଡୁନି ଅଙ୍କ। ମୋଟାମୋଟି କହିବାକୁ ଗଲେ ମହାରାଷ୍ଟରେ ଭୋଟରଙ୍କ ବିଜୟ ହୋଇଛି। ଭୋଟର ଏପରି ଭୋଟ ଦେଇଛନ୍ତି ଯେ, କୌଣସି ଗୋଟିଏ ଦଳ ସରକାର ଗଢ଼ିବା ସ୍ଥିତିରେ ନାହାନ୍ତି।
ନିୟମ ଅନୁସାରେ ନିର୍ବାଚନ ଫଳାଫଳ ଘୋଷଣାର ୧୫ ଦିନ ମଧ୍ୟରେ ନୂଆ ସରକାର ଗଠନ ହେବା ଦରକାର। ଅକ୍ଟୋବର ୨୪ରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ହୋଇଥିବାରୁ ନଭେମ୍ବର ୭ ସୁଦ୍ଧା ନୂଆ ସରକାରର ସ୍ପଷ୍ଟ ଚିତ୍ର ଆସିଯିବା ଉଚିତ୍। ମାତ୍ର ଏଯାଏଁ ସେଭଳି କିଛି ଦୃଶ୍ୟ ଦେଖାଯାଉନି। ସରକାର ଗଠନର ଅନ୍ତିମ ଦିବସ ପାଖେଇ ଆସୁଥିବା ବେଳେ କୌଣସି ଦଳ ମଧ୍ୟରେ ପ୍ରକାଶ ପାଇପାରୁନି ସହମତି। ଏହିଭଳି ଅବସ୍ଥା ଲାଗି ରହିଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରେ।
ନିର୍ବାଚନରେ ବିଜେପିକୁ ସର୍ବାଧିକ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪ ଓ କଂଗ୍ରେସକୁ ୪୪ ଆସନ ମିଳିଛି। ଏହି ସ୍ଥିତି ହିଁ ଆଜି ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଦେଇଛି। ପ୍ରାକ୍ ନିର୍ବାଚନୀ ମେଣ୍ଟ ହୋଇଥିବାରୁ ସରକାର ଗଠନ ପାଇଁ ବିଜେପି-ଶିବସେନା ମେଣ୍ଟ ପାଖରେ ମ୍ୟାଜିକ ନମ୍ବର ରହିଛି। ମାତ୍ର କ୍ଷମତା ଚୌକିକୁ ନିଜ ପଟକୁ ନେବାକୁ ଦୁଇ ସହଯୋଗୀଙ୍କ ମଧ୍ୟରେ ଟଣା ଓଟରା ଲାଗିରହିଛି। ୫୦-୫୦ ଫର୍ମୂଲାକୁ ନେଇ ଅଡ଼ି ବସିଛି ଶିବସେନା । ସେପଟେ ପୁଣି ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଦୃଢ଼ତାର ସହ କହୁଛନ୍ତି ଦେବେନ୍ଦ୍ର ଫଡନବୀସ। ଏହାରିଫଳରେ ଫଳାଫଳ ଘୋଷଣାର ପ୍ରଥମ ସପ୍ତାହ କେବଳ ପରସ୍ପରକୁ କାଦୁଅ ଫିଙ୍ଗାରେ ଶେଷ ହୋଇଯାଇଛି ।
ସରକାର ଗଠନ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ସମୀକରଣ ନେଇ ଚର୍ଚ୍ଚା ଚାଲିଛି । ରାଜନୀତିରେ କିଛି ସ୍ଥାୟୀ ହୋଇନଥିବାରୁ ଆଦର୍ଶକୁ ଭୁଲି ଯେ କୌଣସି ଦଳ ଅନ୍ୟ ଦଳ ସହ ହାତ ମିଳାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଶିବସେନା ବିରୋଧୀ ଏନ୍ସିପି ଓ କଂଗ୍ରେସ ସହ ବୁଝାମଣା କରିବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି। ଏହା ମଧ୍ୟରେ ଶିବସେନା ନେତା ଏନସିପି ମୁଖ୍ୟ ଶରଦ ପାଓ୍ୱାରଙ୍କୁ ଭେଟିବା ଏହି ଚର୍ଚ୍ଚାକୁ ଅଧିକ ତାଜା କରିଥିବା ବେଳେ ବିଜେପିର ଥିଙ୍କ୍ ଟ୍ୟାଙ୍କ ଚୁପ୍ଚାପ୍ ନୂଆ ବିକଳ୍ପ ରାସ୍ତା ସନ୍ଧାନରେ ଲାଗି ପଡ଼ିଛନ୍ତି।
ଯଦି ଏଭଳି ସ୍ଥିତି ନଭେମ୍ବର ୭ ଯାଏଁ ଲାଗି ରୁହେ ତେବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ହିଁ ଅନିବାର୍ଯ୍ୟ। ମହାରାଷ୍ଟ୍ର ରାଜନୀତିର ଗୋଳିଆ ପାଣିରେ କିଏ ବାଜି ମାରିବ ତାହା ଦିନେ ଦୁଇ ଦିନରେ ସ୍ପଷ୍ଟ ହୋଇଯିବ। ଆଉ ଯଦି ସହମତି ନହେଲା ତେବେ ରାଷ୍ଟ୍ରପତି ଶାସନ ହେବା ଥୟ।