ହେବ ନାହିଁ ଅଦିନିଆ ରଥଯାତ୍ରା

ପୁରୀ: ଡିସେମ୍ବର ୨୯ ତାରିଖରେ ଉତ୍ତରପ୍ରଦେଶର ଗାଜିଆବାଦରେ ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟ ପକ୍ଷରୁ ହେବାକୁଥିବା ଅଦିନିଆ ରଥଯାତ୍ରା ଆଉ ହେବ ନାହିଁ। ଏହି ଦିନ ରାଧାକୃଷ୍ଣ ସତ୍ସଙ୍ଗ ଆୟୋଜନ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସଂପାଦକ ବାବା ଚୈତନ୍ୟ ଏନେଇ ସ୍ପଷ୍ଟକରଣ କରିଛନ୍ତି। ଏଥିସହ ଅଦିନିଆ ରଥଯାତ୍ରା ପାଇଁ ଟ୍ରଷ୍ଟ ପକ୍ଷରୁ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଇଛି।
ସୂଚନା ମୁତାବକ, ଡିସେମ୍ୱର ୨୯ ତାରିଖରେ ଗାଜିଆବାଦରେ ରଥଯାତ୍ରା କରିବାକୁ ସ୍ଥିର ହୋଇଥିଲା। ସେଥିପାଇଁ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରାଯାଉଥିଲା। ଯାହାକୁ ଜଗନ୍ନାଥ ପ୍ରେମୀ ବିରୋଧ କରିଥିଲେ। ଫଳରେ ରଥଯାତ୍ରାରୁ ଓହରିଛି ଆୟୋଜକ ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟ। ଏଥିସହ ସୋସିଆଲ ମିଡ଼ିଆରୁ ପ୍ରଚାରକୁ ହଟା ଯାଇଛି ଏବଂ ନିର୍ଦ୍ଧାରିତ ଦିନରେ ରଥଯାତ୍ରା ନ ହୋଇ ରାଧାକୃଷ୍ଣଙ୍କର ସତସଙ୍ଗ ଶୋଭାଯାତ୍ରା ହେବ। ଏଭଳି ତୃଟି ପାଇଁ ଓଡ଼ିଶା ବାସୀ କ୍ଷମା ଦିଅନ୍ତୁ। ଏନେଇ ଜଗନ୍ନାଥ ସେନା ଆବାହକ ପ୍ରୀୟଦର୍ଶନ ପଟ୍ଟନାୟକଙ୍କୁ ଫୋନ୍ରେ ଜରିଆରେ ସୂଚନା ଦେଇଛନ୍ତି ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସଂପାଦକ ବାବା ଚୈତନ୍ୟ।