ବିକ୍ଷୋଭ କିଏ କରୁଛି?, ମୁଁ ଜାଣିନି: ଅଶୋକ

ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ଅଞ୍ଚଳରେ ତେଜିଛି ଜନ ଅସନ୍ତୋଷ। ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦକୁ ନେଇ ବିକ୍ଷୋଭ ପ୍ରସଙ୍ଗରେ ମୁହଁ ଖୋଲିଲେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ସେ କହିଛନ୍ତି ଯେ, କେଉଁମାନେ ସେଠାରେ ବିକ୍ଷୋଭ କରୁଚନ୍ତି ମୁଁ ଜାଣିନାହିଁ।
ଏଥିସହିତ ସେ କହିଛନ୍ତି ଯେ, ପାରିପାର୍ଶ୍ବିକ ବିକାଶ ପାଇଁ ଉଚ୍ଛେଦ କରାଯାଉଛି। ଐତିହ୍ୟ, ସଂସ୍କୃତି ଓ ଲୋକଙ୍କ ଜୀବନ ଜୀବିକା ପାଇଁ ସରକାର ସଚେତନ ଅଅଛନ୍ତି। ଉଠା ଦୋକାନୀଙ୍କ ତାଲିକା ପାଇଁ କହିଛି, ମିଳିଲା ପରେ ଥଇଥାନ ବ୍ୟବସ୍ଥା କରାଯିବ। ପୂର୍ବରୁ ମଧ୍ୟ କିଛି ଦୋକାନୀଙ୍କୁ ଥଇଥାନ କରାଯାଇଛି ବୋଲି ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।
ସୂଚନାଯୋଗ୍ୟ ଆଜି ସକାଳୁ ଦେଖିବାକୁ ମିଳିଥିଲା ପୁରୁଣା ଭୁବନେଶ୍ବର ଅଞ୍ଚଳରେ ତେଜିଲା ଜନ ଅସନ୍ତୋଷ। ଲିଙ୍ଗରାଜ ମନ୍ଦିର ନିକଟରୁ ଉଚ୍ଛେଦକୁ ନେଇ ବିକ୍ଷୋଭ। ବିକ୍ଷୋଭରେ ସାମିଲ ହେଲେ କଂଗ୍ରେସ ଓ ବିଜେପି କର୍ମୀ। ଥଇଥାନ କରିବା ଦାବିରେ ଥାନା ଘେରାଉ କଲେ ଦୋକାନ ହରାଇଥିବା ବ୍ୟବସାୟୀ। ଦୋକାନୀ ମାନଙ୍କୁ ଥଇଥାନ ନକରି ଉଛେଦ କରାଯାଉଥିବାରୁ ଏହାକୁ ସେମାନେ ବିରୋଧ କରୁଛନ୍ତି।ଏହାସହିତ ଏହାକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନେତା।
ଭଜନ ମଣ୍ଡପ ନିର୍ମାଣ ଓ ଥଇଥାନ ନକରିବା ଯାଏଁ ଉଚ୍ଛେଦ ବନ୍ଦ ରଖିବାକୁ ସେମାନେ ଦାବି କରିଛନ୍ତି। ଏଥିପାଇଁ ପ୍ରଶାସନ ଆଲୋଚନା କରୁ ବୋଲି ଦାବି କରିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ପୋଲିସ ଫୋର୍ସ ମୁତୟନ କରିଛି ପ୍ରଶାସନ। ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ସରକାରୀ ଜମିକୁ ମାଡିବସିଥିବା ମାର୍କେଟ କମ୍ପଲେକ୍ସର ଦୋକନ, କୋଠା ଆଦିକୁ ଉଚ୍ଛେଦ କରୁଛି ପ୍ରଶାସନ। ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ୭୫ ମିଟର ପର୍ଯ୍ୟନ୍ତ ଅଂଚଳକୁ ସଫା କରିବାକୁ ଯୋଜନା କରିଛନ୍ତି ସରକାର।