ଦିଲ୍ଲୀବାସୀଙ୍କ ପାଇଁ ଅମିତ ଶାହାଙ୍କ ବଡ ଘୋଷଣା, କହିଲେ ଯେଉଁଠି ବସ୍ତି…

ନୂଆଦିଲ୍ଲୀ: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ସେଥିପାଇଁ ସମସ୍ତ ରାଜନୈତିକ ଦଳ ଭୋଟରଙ୍କ ମନ ଜିଣିବା ପାଇଁ ଚଲାଇଛନ୍ତି ପ୍ରୟାସ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ସେମାବାର ଏକ ବଡ ଘୋଷଣା କରିଛନ୍ତି। ଅମିତ ଶାହା ଦିଲ୍ଲୀର ବସ୍ତି ବାସିନ୍ଦାଙ୍କ ପାଇଁ କହିଛନ୍ତି ଯେ, ଆପଣମାନେ ଚିନ୍ତା କରନ୍ତୁ ନାହିଁ। ଯେଉଁଠି ବସ୍ତି ରହିଛି ସେଠାରେ ଘର ନିର୍ମାଣ କରିବାର ଦାୟିତ୍ବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଛନ୍ତି।
ଏଥିସହ ସେ ଆହୁରି କହିଛନ୍ତି ଯେ, ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇ ଯାଇଛି। ଯେଉଁଥିରେ ୨୦ ହଜାର ବସ୍ତି ବାସିନ୍ଦାଙ୍କ ପାଇଁ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଶାସକ ଦଳ ଆପ୍ ସରକାରଙ୍କୁ ଟାଗେର୍ଟ କରି ଶାହା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେଜରିୱାଲ ପାଞ୍ଚ ବର୍ଷ ମଧ୍ୟରେ ଦିଲ୍ଲୀବାସୀଙ୍କ କିଛି କରିନାହାନ୍ତି, କେବଳ ଆଖିରେ ଧୂଳି ଛାଡିଛନ୍ତି। ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ଆକ୍ଷେପ କରି ଶାହା ଏପରି କହିଛନ୍ତି।
ଏହା ସହ କେଜରିୱାଲ ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ସହ ତୁଳନା କରିଛନ୍ତି ଅମିତ ଶାହା। ସେ କହିଛନ୍ତି, ଯେପରି ପାକ୍ ର ପ୍ରଧାନମନ୍ତ୍ରୀ ଭାରତର ସରକାରଙ୍କ କାର୍ଯ୍ୟକୁ ନେଇ ପ୍ରମାଣ ମାଗନ୍ତି, ଠିକ୍ ସେହିପରି କେଜରିୱାଲ ଓ ରାହୁଲ ମଧ୍ୟ ପ୍ରମାଣ ମାଗନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ଉପୁଜିଥିବା ହିଂସା ପାଇଁ ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳକୁ ପୁଣି ଥରେ ଶାହା ଦୋଷାରୋପ କରିଛନ୍ତି।