Odisha Link
Bridging the Missing Links in Odisha

ବଢ଼ିଲା ସୁନା ଦର, ୬ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଅଘୋଷିତ ଯୁଦ୍ଧର ପ୍ରଭାବ ଭାରତୀୟ ବଜାରରେ ପଡ଼ିଛି। ସକାଳୁ ସେନସେକ୍ସ ଓ ନିଫ୍ଟି ହ୍ରାସ ପାଇଥିବା ବେଳେ ଅନ୍ୟପଟେ ସୁନା ଦର ଉପରେ ପଡ଼ିଛି ପ୍ରଭାବ। ଆଜି ଭାରତରେ ସୁନାଦର ରେକର୍ଡ ଭାବେ ବୃଦ୍ଧି ପାଇଛି। ଆଜି ୧୦ ଗ୍ରାମ ସୁନାର ମୂଲ୍ୟ ୨.୩% ଅର୍ଥାତ ୯୧୮ ଟଙ୍କା ବଢ଼ିଛି। ଅର୍ଥାତ ୧୦ ଗ୍ରାମ ସୁନାର ମୂଲ୍ୟ ୪୧,୦୩୦ ଟଙ୍କା ହୋଇଯାଇଛି।

ଶୁକ୍ରବାର ସୁନା ଦର ୨% ଅର୍ଥାତ ୮୫୦ ଟଙ୍କା ବଢ଼ିଥିଲା। ଆମେରିକା ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କସିମ ସୁଲେମାନୀ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ଶୁକ୍ରବାର ଓ ଆଜି ସୁନା ଦର ବୃଦ୍ଧି ନୂଆ ରେକର୍ଡ କରିଛି। ଏହି ଦୁଇ ଦିନରେ ୧୦ ଗ୍ରାମ ସୁନାର ମୂଲ୍ୟ ପ୍ରାୟ ୧୮୦୦ ଟଙ୍କା ବଢ଼ିଛି।

ରୁପା ଦର ମଧ୍ୟ ୨% ବା ୯୪୭ ଟଙ୍କା ବଢ଼ିଛି। ଏବେ ରୁପାର କେଜି ପ୍ରତି ଦର ୪୮,୪୭୪ ରହିଛି। ବିଶେଷଜ୍ଞଙ୍କ ମତରେ ଆଗକୁ ସୁନା ଓ ରୁପା ଦର ଆହୁରି ବୃଦ୍ଧି ପାଇବ। ଆଗାମୀ ଦିନରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୧,୩୦୦ ଟଙ୍କା ଓ ରୁପାର କେଜି ପ୍ରତି ୪୮,୯୦୦ରେ ପହଞ୍ଚିବାର ଆଶଙ୍କା ରହିଛି। ବିଶ୍ୱ ମାର୍କେଟରେ ଆଜି ସୁନା ଦର ଆଉନସ ବା ୨୮.୩୪୯୫ ଗ୍ରାମ ପିଛା ୧.୫% ବୃଦ୍ଧି ପାଇ ୧,୫୭୯.୫୫ ଡଲାରରେ ପହଞ୍ଚିଛି। ଏଭଳି ଦର ବୃଦ୍ଧି ୬ ବର୍ଷରେ ସର୍ବାଧିକ।

Comments are closed.