ଏସସିବି ପୁନର୍ବିନ୍ୟାସ, ଥଇଥାନ ପ୍ୟାକେଜ

ଭୁବନେଶ୍ବର: କଟକ ଏସସିବି ପାଇଁ ବଡ ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏସସିବିର ପୁନର୍ବିନ୍ୟାସରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାଜେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏସସିବିକୁ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ ଭାବରେ ବିକଶିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଫଳରେ ଏହାର କାର୍ଯ୍ୟ ଆରମ୍ଭ କରାଯାଇଛି।
ଏଥିରେ କ୍ଷତିଗ୍ରସ୍ତ ବାସଗୃହ ଅନଧିକୃତ ଭାବେ ନିର୍ମିତ ବାସଗୃହ, ମାଛ ମାର୍କେଟ୍ କମ୍ପ୍ଲେକ୍ସ, ସ୍ଥାୟୀ ଦୋକାନ ଘର, ଅନଧିକୃତ ଭାବରେ ନିର୍ମିତ ଦୋକାନ ଗୃହ, ଉଠାଦୋକାନୀ, ଧାର୍ମିକ ଅନୁଷ୍ଠାନ, କ୍ଲବ୍ ଓ ଗୁହାଳ ଆଦି ପାଇଁ ସହାୟତା ଘୋଷଣା କରାଯାଇଛି। କ୍ଷତିଗ୍ରସ୍ତ ପରିବାରକୁ ଏକକାଳୀନ ୫୦ ହଜାର ଟଙ୍କାର ସହାୟତା ଦିଆଯିବ। ସିଏମସି ଅଞ୍ଚଳରେ ପ୍ରତି ପରିବାର ପାଇଁ ଅସ୍ଥାୟୀ ବାସଗୃହ ପାଇଁ ଲାଇସେନ୍ସ କରାଯିବ। ଅସ୍ଥାୟୀ ଆବାସସ୍ଥଳୀରେ ୮ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଖାଇବାକୁ ଦିଆଯିବ। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ପରିବହନ ବ୍ୟବସ୍ଥା କରାଯିବ।
ରେଜିଷ୍ଟ୍ରିଭୁକ୍ତ ମାଛ ବ୍ୟବସାୟୀଙ୍କ ପାଇଁ ଏକକାଳୀନ ଏକ ଲକ୍ଷ ଟଙ୍କା ସହାୟତା ଦିଆଯିବ । ମାଛ ମାର୍କେଟ୍ କମ୍ପ୍ଲେକ୍ସ ବ୍ୟବସାୟୀଙ୍କୁ ସିକ୍ୟୁରିଟି ଫେରାଇବେ ସରକାର। ନିଜସ୍ବ ଜମିରେ ନିର୍ମିତ ଦୋକାନ ଘରକୁ ସରକାର ସିଧା ଅଧିଗ୍ରହଣ କରିବେ। କ୍ଷତିଗ୍ରସ୍ତ ଦୋକାନୀଙ୍କୁ ପରିବହନ ଓ ବ୍ୟବସାୟ ପାଇଁ ୨ କିସ୍ତିରେ ସହାୟତା ଦିଆଯିବ। ଅନଧିକୃତ ଦୋକାନ ଘର ପାଇଁ ୩୦ ହଜାର ଟଙ୍କାର ସହାୟତା ଦିଆଯିବ। ଉଠାଦୋକାନୀଙ୍କୁ ମିଳିବ ୨୦ ହଜାର ଏବଂ ଅନୁଷ୍ଠାନଗୁଡିକୁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ।