ଜରିମାନା ଜାଲିଆତି: ସରକାରୀ ତହବିଲକୁ ଯାଉନି ଆଦାୟ ଅର୍ଥ

କଟକ: ମାସ୍କ ପିନ୍ଧି ନ ଥିଲେ ବୋଲି ୨ ଶହ ଟଙ୍କା ଜରମାନା ଦେଲେ। ଚାଉଳିଆଗଞ୍ଜ ପୁଲିସ ରସିଦ୍ ମଧ୍ୟ କାଟିଲା। ମାତ୍ର ସୂଚନା ଅଧିକାର ଆଇନ ବଳରେ ତଥ୍ୟରେ ଦର୍ଶଯାଇଛି ଶହେ ଟଙ୍କା କଟାଯାଇଛି। ଗୋଟଏ ପଟେ ୨ ଶହ ଟଙ୍କା ରସିଦ୍ ପୁଲିସ୍ ଦେଉଥିବାବେଳେ କେବଳ ଶହେ ଟଙ୍କା ସରକାରୀ ପାଣ୍ଠିରେ ପୈଠ ହେଉଥିବା ଜଣାପଡ଼ିଛି। ଏମିତି ତଥ୍ୟ ଦେଖିବା ପରେ ଚାଉଳିଆଗଞ୍ଜ ପୁଲିସ ହୁଏତ ଜାଲି ରସିଦ୍ରେ ଟଙ୍କା କାଟୁଛି, ନଚେତ ଜରିମାନା ଟଙ୍କାରେ ବଡ଼ ଧରଣର ହେରଫେର୍ ଦେଉଛି ବୋଲି ଅଭିଯୋଗ ଆଣିଛନ୍ତି ଅନୁଗୁଳର ସୂଚନା ଅଧିକାରୀ କର୍ମୀ ସୁଜିତ୍ ସାହୁ।
ଅଭିଯୋଗ ଅନୁସାରେ, ଲକଡାଉନ୍ ସମୟ ଜୁଲାଇ ୨୦ ତାରିଖ ଦିନ ଶ୍ରୀସାହୁ ନିଜ ବାଇକରେ ଓଏମପି ଠାରୁ ନୂଆବଜାର ଯାଉଥିଲେ। ଉକ୍ତ ସମୟରେ ନୂଆବଜାର ଛକ ନକିଟରେ ଚାଉଳିଆଗଞ୍ଜ ପୁଲିସ ମାସ୍କ, ପାସ୍ ଇତ୍ୟାଦି ଯାଞ୍ଚ୍ କରୁଥିଲେ। ସେହି ସମୟରେ ତାଙ୍କଠାରୁ ଦୁଇଶହ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଉପସ୍ଥିତ ପୁଲିସ କର୍ମଚାରୀ ୨ ଶହ ଟଙ୍କା ଜରିମାନା ନେବା ସହିତ ରସିଦ୍ରେ ଦସ୍ତଖତ କରିଦେଇଥିଲେ। ପରେ ଶ୍ରୀ ସାହୁ ସୂଚନା ଅଧିକାର ଆଇନ ବଳରେ ନିଜର ଜରିମାନାକୁ ନେଇ ତଥ୍ୟ ମାଗିଥିଲେ। ତେବେ ତାଙ୍କୁ କଟକ ଡିସିପିଙ୍କ ଦ୍ବାରା ଯେଉଁ ତଥ୍ୟ ଦିଆଯାଇଥିଲା ସେଥିରେ ଉକ୍ତ ତାରିଖ ଦିନ ଶ୍ରୀ ସାହୁଙ୍କ ଠାରୁ ଚାଉଳିଆଗଞ୍ଜ ପୁଲିସ ମାତ୍ର ଶହେ ଟଙ୍କା ଆଦାୟ କରିଛି। ଜରିମାନା ଆଦାୟ ବେଳେ ତାଙ୍କୁ ଦୁଇ ଶହ ଟଙ୍କାର ରସିଦ୍ ଧରାଇ ଦିଆଯାଇଥିବା ବେଳେ ସମାନ ରସିଦ୍ ନମ୍ବର ବିଶିଷ୍ଟ ଏକ ରସିଦରେ ଶହେ ଟଙ୍କା ଲେଖାଥିବା ନକଲ ପ୍ରଦାନ କରାଯିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଯାହା ଏବେ ଏକ ବଡ଼ ଧରଣର ହେରଫେର୍ ଆଡ଼କୁ ଆଙ୍ଗଠି ଉଠାଇଛି। କାରଣ ଉକ୍ତ ଦସ୍ତାବିଜ୍କୁ ଦେଖାଲା ପରେ ପୁରା ଗଫଲତି ପଦାରେ ପଡ଼ିଛି। ଯଦି ବ୍ୟକ୍ତି ଜଣଙ୍କ ୨ଶହ ଟଙ୍କା ଦେଇଥିବା ପୁଲିସ୍ ରସିଦ୍ ଦେଇଛି ତେବେ ଡିସିପି ଶହେ ଟଙ୍କା ନେଇଥିବା କିଭଳି ରସିଦରେ ଦର୍ଶାଉଛନ୍ତି? ଏହାସହ ୨ ଶହ ଟଙ୍କା ନେଇ ଯଦି ସରକାରୀ ପାଣ୍ଠିରେ ୧ ଶହ ଟଙ୍କା ପୈଠ ହୋଇଛି ତେବେ ଆଉ ଶହେ ଟଙ୍କା କୁଆଡେ ଗଲା? ଜରିମାନା ଆଦାୟରେ ଏବେ ସହରରେ ବଡ଼ କେଳେଙ୍କାରୀ ଚାଲିଥିବା ଶ୍ରୀ ସାହୁ ଅଭିଯୋଗ କରିବା ସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି।