ପେଟ୍ରୋଲ୍ ପମ୍ପ ଅଗ୍ନିକାଣ୍ଡ, ମୃତ୍ୟୁ ସୂଚନା ନାହିଁ: ଡିସିପି

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପେଟ୍ରୋଲ୍ ପମ୍ପ ଅଗ୍ନିକାଣ୍ଡ ବିସ୍ଫୋରଣ ନେଇ ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି। ସୁରକ୍ଷା ପାଇଁ ନିକଟସ୍ଥ ବାସିନ୍ଦାଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି। ବିଭିନ୍ନ ବିସ୍ଫୋରକ ପଦାର୍ଥ ବାହାରେ ପଡିଥିବାରୁ ଘରୁ ବାହାରିବାକୁ ମନା କରାଯାଇଛି।
ଏହି ଘଟଣାରେ ଆଇଓସିଏଲ୍ ଟିମ୍ ତଦନ୍ତ କରୁଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଡିସିପି ସୂଚନା ଦେଇ ଆହୁରି କହିଛନ୍ତି ଯେ, ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଏପର୍ଯ୍ୟନ୍ତ କାହାର ମୃତ୍ୟୁ ସୂଚନା ନାହିଁ। ଏଜି ଛକରୁ ଗଭର୍ଣ୍ଣର ହାଉସ୍ ଛକ ରାସ୍ତାକୁ ସିଲ୍ କରାଯାଇଛି।
ଏହି ଘଟଣାରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ, ପେଟ୍ରୋଲ ପମ୍ପରେ ମୋଟ ୩ଟି ଟାଙ୍କି ରହିଛି। ପେଟ୍ରୋଲ ଟାଙ୍କି, ଡିଜେଲ ଟାଙ୍କି ଓ ସିଏନଜି ଟାଙ୍କି ରହିଛି। ସିଏନଜି ଟାଙ୍କିରେ ନିଆଁ ଲାଗିଛି। ପେଟ୍ରୋଲ ଓ ଡିଜେଲ ଅକ୍ଷତ ଅଛି। ସ୍ଥିତି ନିୟନ୍ତ୍ରଣରେ ରହିଛି।