କାହିଁକି ଅନୁପସ୍ଥିତ ରହିଲେ ରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର : ରାଜ୍ୟସଭାରେ ଟ୍ରିପଲ ତଲାକ୍ ବିଲ୍ ପାସ୍ ବେଳେ କଂଗ୍ରେସ ଏମ୍.ପି. ରଞ୍ଜୀବ ବିଶ୍ୱାଳ ଗୃହରେ ଅନୁପସ୍ଥିତ ଥିଲେ। ଗତକାଲି ବିଲ୍ ଉପରେ ଆଲୋଚନା ବେଳେ ଗୃହରେ ଉପସ୍ଥିତ ରହିବାକୁ କଂଗ୍ରେସ ପକ୍ଷରୁ ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି କରାଯାଇଥିଲା। ଏହା ସତ୍ତ୍ୱେ ରଞ୍ଜୀବ ବିଶ୍ୱାଳଙ୍କ ସମେତ ୫ କଂଗ୍ରେସ ସାଂସଦ ଭୋଟିଂ ବେଳେ ଗୃହରେ କାହିଁକି ଅନୁପସ୍ଥିତ ଥିଲେ ? ଏ ନେଇ ଚାଲିଛି ଚର୍ଚ୍ଚା।
ରଞ୍ଜୀବଙ୍କ ବ୍ୟତୀତ ବିବେକ ଟଙ୍ଖା, ପ୍ରତାପ ସିଂ ବାଜୱା, ମୁକୁଟ ମିଠି ପ୍ରମୁଖ ଗୃହରେ ଅନୁପସ୍ଥିତ ଥିଲେ। ଏହାପୂର୍ବରୁ କଂଗ୍ରେସ ସାଂସଦ ସଞ୍ଜୟ ସିଂ ଦଳରୁ ଇସ୍ତଫା ଦେଇଥିଲେ।
ଏହା ବାଦ୍ ସମାଜବାଦୀ ପାର୍ଟିର ମଧ୍ୟ ୫ ଜଣ ସଦସ୍ୟ, ଏନ୍ସିପିର ଶରଦ ପାୱାର, ପ୍ରଫୁଲ୍ଲ ପଟେଲଙ୍କୁ ମିଶାଇ ମୋଟ ୨୦ଜଣ ବିରୋଧୀ ସାଂସଦ ଭୋଟିଂ ବେଳେ ଗୃହରେ ନଥିଲେ। ଫଳରେ ଟ୍ରିପଲ ତଲାକ୍ ବିଲ୍ ସହଜରେ ପାରିତ ହୋଇଥିଲା । ବିଲ୍ ସପକ୍ଷରେ ୯୯, ବିପକ୍ଷରେ ୮୪ ସଦସ୍ୟଙ୍କ ଭୋଟ୍ ପଡିଥିଲା ।