ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ କୁନିଶିଳ୍ପୀ

ଭୁବନେଶ୍ବର : ରାଜ୍ୟ ତଥା ଦେଶରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ରକ୍ଷାବନ୍ଧନ ଏକ ମହାନ୍ କୃଷିଭିତ୍ତିକ ପର୍ବ।। ଶ୍ରାବଣମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଏହା ପାଳିତ ହୋଇଥାଏ। ରକ୍ଷାବନ୍ଧନ ଏକ ପୂଣ୍ୟପ୍ରଦାୟକ ସୁରକ୍ଷା ବନ୍ଧନର ପର୍ବ। ସୁରକ୍ଷାର ପର୍ବ ରକ୍ଷାବନ୍ଧନକୁ ପ୍ରଦୂଷଣ ଏବଂ ବିପଦମୁକ୍ତ କରିବା ପାଇଁ ପୋଖରୀପୁଟର ଇନ୍ଦ୍ରପ୍ରସ୍ଥ ଫେଜ୍-୨ ସ୍ଥିତ ଚିତ୍ରଶାଳାର ଚିତ୍ରଶିଳ୍ପୀମାନେ ନିଆରା ରୂପେ ଇକୋ-ଫ୍ରେଣ୍ଡଲି ରକ୍ଷାବନ୍ଧନ ପାଳନର ବାର୍ତ୍ତା ହେଇଛନ୍ତି।
ପ୍ଲାଷ୍ଟିକ୍, ଜରି ଓ ଅନ୍ୟାନ୍ୟ ପରିବେଶ ଅନୁପଯୋଗୀ ପଦାର୍ଥ ପରିବର୍ତ୍ତେ ତୂଳାରେ ତିଆରି ସବୁଜ ରଙ୍ଗର ରାକ୍ଷୀ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ କରାଯାଇ ଭଉଣୀମାନେ ଭାଇମାନଙ୍କୁ ହସ୍ତର ବାନ୍ଧି ସେମାନଙ୍କ ଦୀର୍ଘ ଜୀବନ ଓ ସୁରକ୍ଷା କାମନା କରିଥିଲେ। ଏହାସହ ପରିବେଶକୁ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ କରାଇଥିଲେ। ବଜାରରେ ମିଳୁଥିବା ରାକ୍ଷୀ ପ୍ରସ୍ତୁତିରେ ବ୍ୟବହୃତ ପ୍ଲାଷ୍ଟିକ ପରିବେଶ ପ୍ରଦୂଷଣର ପ୍ରମୁଖ କାରଣ ପାଲଟୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପରିବେଶ ଅନୁକୂଳ ରାକ୍ଷୀ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଅନସୂୟା ସାହୁ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ ଯୋଗଦେଇ ଅନୁଷ୍ଠାନର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ସବୁଜ ସୁରକ୍ଷାର ବନ୍ଧନ ହେଉଛି ରକ୍ଷାବନ୍ଧନ ବୋଲି ଚିତ୍ରଶିଳ୍ପୀମାନଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ତ୍ରିଲୋଚନ ବେଉରା ପରିଚାଳନାରେ ସହଯୋଗ କରିଥିଲେ।
Comments are closed.