Odisha Link
Bridging the Missing Links in Odisha

ବଜରଙ୍ଗ ପୁନିଆଙ୍କୁ ମିଳିବ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କୁ ମିଳିବ ଖେଳ ରତ୍ନ ପୁରସ୍କାର। ପୁନିଆଙ୍କୁ ଚଳିତ ବର୍ଷ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯିବ। ୨୫ ବର୍ଷୀୟ ବଜରଙ୍ଗ ରେସଲିଂରେ ଲଗାତାର ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯିବ। ଭାରତୀୟ ରେସଲିଂ ଫେଡେରେସନ୍ (ଡବ୍ଲ୍ୟୁଏଫଆଇ) ଏହି ସମ୍ମାନଜନକ ପୁରସ୍କାର ପାଇଁ ବଜରଙ୍ଗଙ୍କ ସହ ମହିଳା ରେସଲର୍ ଭିନେଶ୍ ଫୋଗତଙ୍କ ନାଁ ମଧ୍ୟ ସୁପାରିସ୍ କରିଥିଲା। ଚଳିତ ମାସ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ବଜରଙ୍ଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ଗତବର୍ଷ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ମହିଳା ଭାରୋତ୍ତୋଳନ ମୀରାବାଈ ଚାନୁଙ୍କୁ ‘ଖେଳ ରତ୍ନ’ ପୁରସ୍କାର ମିଳିଥିଲା। ଗତବର୍ଷ ନିଜକୁ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ନମିଳିବା ନେଇ ବଜରଙ୍ଗ ଅସନ୍ତୋଷ ଜାହିର୍ କରିଥିଲେ ଏବଂ ତତ୍କାଳୀତ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ ସାକ୍ଷାତ କରି ନିରାଶ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ପ୍ରଥମ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାର ଚେସ୍ ଗ୍ରାଣ୍ଡମାଷ୍ଟର୍ ବିଶ୍ୱନାଥନ ଆନନ୍ଦଙ୍କୁ ୧୯୯୧-୯୨ରେ ପ୍ରଦାନ କରାଯାଇଥିଲା।

Comments are closed.