Odisha Link
Bridging the Missing Links in Odisha

ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ : ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ପ୍ରଚାର ପାଇଁ ନୂଆପଡ଼ା ଗସ୍ତରେ ବିଜେଡି ନେତା ଭି.କେ ପାଣ୍ଡିଆନ। ନିର୍ବାଚନ ପ୍ରଚାରର ତୃତୀୟ ଦିନରେ ପାଣ୍ଡିଆନ ଖଡିଆଳ ରୋଡରୁ ନୂଆପଡା ୧୨ କିଲୋମିଟର, ବିରାଟ ରୋଡ ଶୋ କରିଛନ୍ତି। ଆଉ ସେଠାରେ ଆୟୋଜିତ ନିର୍ବାଚନ ସଭାରେ ଜନତାଙ୍କୁ ସମ୍ବୋଧନ କରିଥିଲେ। ଏଥିସହିତ ବିଜେପିକୁ ଜୋରଦାର ଟାର୍ଗେଟ କରିଥିଲେ।

ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ। ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ ଇଞ୍ଜିନ ଥିଲା, ସିଙ୍ଗଲ ଇଞ୍ଜିନ ହୋଇଗଲା। ଏବେ ଆଉ ଗୋଟେ ଇଞ୍ଜିନ ଆସିଛି । ଯଦି ଡବଲ ଇଞ୍ଜିନ ଭଲ କାମ କରୁଛି ତେବେ ଗୋଟେ ଇଞ୍ଜିନ କାହିଁକି ବନ୍ଦ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ।

୨୦୧୯ରେ ନୂଆପଡାବାସୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିଲେ ବି ସାଂସଦ ଭାବେ ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇଥିଲେ। ହେଲେ ଏଇ ପାଞ୍ଚ ବର୍ଷ ଧରି ତାଙ୍କୁ ନୂଆପଡାବାସୀ ଦେଖିବାକୁ ପାଇନଥିଲେ। ନୂଆପଡାରେ ଯଦି ନିଯୁକ୍ତି ସମସ୍ୟା ରହିଛି ତେବେ ସାଂସଦ କାହିଁକି ନୂଆପଡାରେ ଦକ୍ଷତା ବିକାଶ କେନ୍ଦ୍ର କଲେ ନାହିଁ ବୋଲି ପାଣ୍ଡିଆନ କହିଛନ୍ତି।

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ଜିଲ୍ଲାଗସ୍ତରେ ଆସିଥିଲୁ, ମୁଖ୍ୟମନ୍ତ୍ରୀ ଆମକୁ ଆପଣଙ୍କ ଦରଖାସ୍ତ ଉପରେ କଣ କାମ ହୋଇଛି ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଡା ପାଇଁ ୧୩୧ କୋଟି ଟଙ୍କାର କାମ ହେଉଛି। କୋଭିଡ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ନୂଆପଡା ଆସିଥିଲି। ହସ୍ପିଟାଲ ଉନ୍ନତି କଥା ବୁଝିକରି ଯାଇଥିଲି ଆଉ ଏବେ ଆପଣ ସମସ୍ତ ସୁବିଧା ପାଉଛନ୍ତି ବୋଲି କହିଥିଲେ।

ସେହିପରି ସେ ବିକାଶର କଥା କହି ନୂଆପଡାରେ ଯୋଗେଶ୍ୱର ମନ୍ଦିର ପାଇଁ ୪ କୋଟି, ସୁନାଦେଇ ମନ୍ଦିର ପାଇଁ ୨.୬୦ କୋଟି କୋନାବିରା ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ ପାଇଁ ୪୨ କୋଟି, ଆଉ ୫ଟି ମେଗା ଲିଫ୍ଟ ପାଇଁ ୧୩୨ କୋଟି, ଘାଟିପଡାରୁ ସିନାପାଲ୍ଲୀ ବିଜୁ ଏକ୍ସପ୍ରେସ ୨୦୮ କୋଟି ଖର୍ଚ୍ଚ ହୋଇଛି ବୋଲି ପାଣ୍ଡିଆନ କହିଛନ୍ତି।

ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ନିର୍ବାଚନ ଆସିଲେ ଅନ୍ୟଦଳର ବହୁ ନେତାମାନେ ଆସିବେ, ବଡ ବଡ ଭାଷଣ ଦେବେ। କିନ୍ତୁ ନିର୍ବାଚନ ସରିଗଲେ ଆଉ ଦେଖା ମିଳିବନି। ହେଲେ ବିଜେଡି ଲୋକଙ୍କ ପାଖରେ ସବୁବେଳେ ଉତ୍ତରଦାୟୀ ଏବଂ ସବୁ ଦରଖାସ୍ତର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ନୂଆପଡାରେ ବିକାଶ ଧାରାକୁ ବଜାୟ ରଖିବାକୁ ବିଜେଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବଡ ମାର୍ଜିନରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

Leave A Reply

Your email address will not be published.