କମିଲା ଏଲ୍ପିଜି ଗ୍ୟାସ୍ ଦର

ଓଏଲ୍ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଜୁନ୍ ମାସ। ଆଉ ମାସ ଆରମ୍ଭରୁ ଜନସାଧାରଣଙ୍କ ପାଇଁ ଆସିଲା ଖୁସି ଖବର। ଦେଶର ପେଟ୍ରୋଲିୟମ କମ୍ପାନୀ ମାସ ଆରମ୍ଭରୁ ଏଲ୍ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ଫଳରେ ଆଜିଠୁ ଏଲ୍ପିଜି ସିଲିଣ୍ଡର ଦର ଶସ୍ତା ହୋଇଛି। କେବଳ କମର୍ସିଆଲ୍ ସିଲିଣ୍ଡର ଦର ହ୍ରାସ ପାଇଛି। ସରକାରୀ ତୈଳ କମ୍ପାନୀପକ୍ଷରୁ ଜାରି ଦର ଅନୁସାରେ, ଏଲ୍ପିଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ୮୩ ଟଙ୍କା ୫୦ ପଇସା ହ୍ରାସ ପାଇଛି।
ଏବେ କେତେ ଅଛି ଦର ? ଜାଣନ୍ତୁ
ଦର ହ୍ରାସ ପରେ ଏବେ ୧୯ କିଲୋ ଏଲ୍ପିଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ୧୭୭୩ ଟଙ୍କା ହୋଇଛି। ଏହା ପୂର୍ବରୁ ଏହି ଦର ୧୮୫୬ ଟଙ୍କା ୫୦ ପଇସା ଥିଲା। ତେବେ ସବୁଠୁ ବଡ଼କଥା ହେଲା ଘରୋଇ ଏଲ୍ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ କମର୍ସିଆଲ୍ ସିଲିଣ୍ଡର ଦର ୮୩ ଟଙ୍କା ୫୦ ପଇସା ଶସ୍ତା ହେବା ପରେ ଏବେ ଲୋକଙ୍କୁ ୧୭୭୩ ଟଙ୍କା ଦେବାକୁ ପଡ଼ିବ। ସେହିପରି ଗତ ମେ’ ୧ରେ ଦିଲ୍ଲୀରେ ଘରୋଇ ଏଲ୍ପିଜି ସିଲିଣ୍ଡର ଦର ୧୧୦୩ ଥିଲା ଓ ଚଳିତ ମାସରେ ମଧ୍ୟ ସମାନ ଦର ରହିଛି।
ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ୧୭୭୩ ଟଙ୍କା ଥିବାବେଳେ ମୁମ୍ବାଇରେ ୧୭୨୫, ଚେନ୍ନାଇରେ ୧୯୩୭ ଓ କୋଲକାତାରେ ୧୮୭୫ ଟଙ୍କା ରହିଛି। ସୂଚନାଥାଉକି, ଗତ ଫେବ୍ରୁୟାରୀରୁ ଘରୋଇ ଏଲ୍ପିଜି ସିଲିଣ୍ଡର ଦରରେ କୌଣସି ହ୍ରାସ ଦେଖିବାକୁ ମିଳିନାହିଁ। ପୂର୍ବ ଦର ଅନୁସାରେ ଏହା ସ୍ଥିର ରହିଛି।