Odisha Link
Bridging the Missing Links in Odisha

ବାଲେଶ୍ବରରେ ରାହୁଳ, କହିଲେ ନ୍ୟାୟ ଯୋଜନାକୁ ମୋଦିଙ୍କ ଭୟ

ରେମୁଣା: କଂଗ୍ରେସର ନ୍ୟାୟ ଯୋଜନାକୁ ମୋଦି ଡରି ଯାଇଛନ୍ତି। ସେଥିପାଇଁ ସେ ମଧ୍ୟବିତ୍ତଙ୍କୁ ବି ଡରାଉଛନ୍ତି। କହୁଛନ୍ତି, ମଧ୍ୟବିତ୍ତଙ୍କ ଟଙ୍କା ନେଇ ରାହୁଲ ଗାନ୍ଧୀ ଗରିବଙ୍କୁ ଦେଇଦେବ। ହେଲେ ଗୋଟିଏ ଟଙ୍କା ମଧ୍ୟବିତ୍ତଙ୍କ ଠାରୁ ନିଆଯିବ ନାହିଁ। ଅନୀଲ ଅମ୍ବାନୀ, ଲଳିତ ମୋଦି, ନୀରବ ମୋଦିଙ୍କ ଭଳି ଚୋରଙ୍କ ପକେଟରୁ ଟଙ୍କା ନେଇ ଗରିବ ଲୋକଙ୍କୁ ଦିଆଯିବ ବୋଲି ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ କହିଛନ୍ତି।

ବାଲେଶ୍ବର ଜିଲ୍ଲା ରେମୁଣାରେ କଂଗ୍ରେସର ପରିବର୍ତ୍ତନ ସମାବେଶରେ ଯୋଗଦେଇ ରାହୁଳ କହିଥିଲେ ଯେ କଂଗ୍ରେସ ସରକାର ଆସିବା ପରେ ୨୦୧୯ରେ ନୂଆ ଆଇନ ଆଣିବ। ଯେଉଁ ଚାଷୀ ଋଣ ନେଇ ଶୁଝି ନ ପାରିବେ ସେମାନଙ୍କୁ ଜେଲରେ ଭର୍ତି କରାଯାଇପାରିବ ନାହିଁ। କଂଗ୍ରେସ ସରକାର ଆସିଲେ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରାଯିବ।

ରାହୁଳ ଗାନ୍ଧୀ କହିଲେ ଯେ, ଆଜି ଜଣେ ସାମ୍ବାଦିକ ତାଙ୍କର ସାକ୍ଷାତକାର ନେଉଥିଲେ। ବେରୋଜଗାର ହିଁ ସବୁଠାରୁ ବଡ଼ ପ୍ରସଙ୍ଗ ବୋଲି ସେ ତାଙ୍କୁ କହିଥିଲେ। ସେହିପରି ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନଥିବାରୁ ଚାଷୀ ଆତ୍ମହତ୍ୟା କରୁଛି। ଦେଶରେ ଦରଦାମ ବୃଦ୍ଧି ଜନତାଙ୍କୁ ଢେର ବାଧିଛି।

ଏହା ଭିନ୍ନ ନରେନ୍ଦ୍ର ମୋଦି ସରକାରକୁ ସେ ଭ୍ରଷ୍ଟାଚାରୀ ବୋଲି କହିଥିଲେ ରାହୁଳ। ଏବେ ମୋଦି ନିଜ ଅଭିଭାଷଣରେ ଚାଷୀ କିମ୍ବା ବେରୋଜଗାରୀ କଥା କହୁନାହାନ୍ତି। ଏବେ ମୋଦି ଯୁଆଡେ଼ ଯାଉଛନ୍ତି ଲୋକେ କହୁଛନ୍ତି ଚୌକିଦାର ଚୋର ହୈ। ଆଜିକାଲି ସେ ଟେଲିପ୍ରମ୍ପଟରରେ ପଢ଼ିକି ଭାଷଣ ଦେଉଛନ୍ତି। ବେରୋଜଗାରୀ, ଭ୍ରଷ୍ଟାଚାର ଓ ୧୫ ଲକ୍ଷ ଟଙ୍କା କଥା ନ କହିବାକୁ ତାଙ୍କୁ ତାଙ୍କର ପରାମର୍ଶଦାତାମାନେ କହୁଛନ୍ତି।

ରାହୁଳ ପୁଣି କହିଲେ ଯେ, ଦେଶରେ କୋଟି କୋଟି ଲୋକ ଗରିବ ଅଛନ୍ତି। ୨୫ କୋଟି ଲୋକଙ୍କ ବ୍ୟାଙ୍କ ଆକାଉଂଟରେ ଟଙ୍କା ଦେବାକୁ କଂଗ୍ରେସ ଚାହୁଁଛି। ଅନୀଲ ଅମ୍ବାନୀକୁ ୪୫ ହଜାର, ବିଜୟ ମାଲ୍ୟା ୧୦ ହଜାର କୋଟି, ନୀରବ ମୋଦିକୁ ଯଦି ୩୫ ହଜାର କୋଟି ଟଙ୍କା ଦିଆଯାଇ ପାରୁଛି ତେବେ ୫ କୋଟି ପରିବାରକୁ କାହିଁକି ଟଙ୍କା ଦିଆଯାଇପାରିବ ନାହିଁ। ପ୍ରତିବର୍ଷ ୫ କୋଟି ଗରିବ ପରିବାରକୁ ୭୨ ହଜାର ଟଙ୍କା ଦିଆଯାଇପାରିବ। ବର୍ଷକୁ ୩ ଲକ୍ଷ ୬୦ ହଜାର କୋଟି ଟଙ୍କା ଦିଆଯିବ। ଏହି ଟଙ୍କାରୁ ଅଧିକ ଫାଇଦା ବିହାର, ଓଡ଼ିଶା ଭଳି ରାଜ୍ୟର ଲୋକମାନେ ପାଇପାରିବେ। ଏହି ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଂଟକୁ ଯିବ। ଗରିବୀ ଉପରେ ଏହା କଂଗ୍ରେସର ସର୍ଜିକାଲ ଷ୍ଟ୍ରାଇକ ବୋଲି ରାହୁଲ କହିଥିଲେ। ଯେଉଁମାନଙ୍କ ଆୟ ମାସିକ ୧୨ ହଜାରରୁ କମ ସେମାନଙ୍କ ଆକାଉଂଟକୁ ପ୍ରତି ମାସର ପ୍ରଥମ ଦିନ ୬ ହଜାର ଟଙ୍କା ଯିବ।

ରାହୁଳ ଉଭୟ ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି ବୋଲି ସେ କହିଥିଲେ।

Comments are closed.