Odisha Link
Bridging the Missing Links in Odisha

ରାଗିଲେ ଅମ୍ବାତି ରାୟୁଡ଼ୁ, କ୍ରିକେଟରୁ ନେଲେ ସନ୍ନ୍ୟାସ!

ନୂଆଦିଲ୍ଲୀ: ବିଶ୍ବକପ୍‌ ଦଳରେ ସାମିଲ କରା ନ ଯିବାରୁ କ୍ରିକେଟରୁ ଅବସର ନେଲେ ଅମ୍ବାତି ରାୟୁଡ଼ୁ। ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ୍‌ ଅମ୍ବାତି ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା କଥା ଗଣମାଧ୍ୟମରେ ପ୍ରଶାରିତ ହେଉଛି। ଏଥି ସହ ତାଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରା ନ ଯିବାରୁ ସେ ଏଭଳି ଅବସର ଘୋଷଣା କରିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଅମ୍ବାତି ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ହେଁ ପୂର୍ବ ପରି ଆଇପିଏଲ୍‌ ଖେଳିବେ ବୋଲି ସୂଚନା ରହିଛି। ଏହାପୂର୍ବରୁ ସେ ପ୍ରଥମ ଶ୍ରେଣୀ କ୍ରିକେଟକୁ ଅଲବିଦା କହି ସାରିଥିଲେ।

ବିଶ୍ୱକପ୍‌ ପୂର୍ବରୁ ରାୟୁଡୁ ଟିମ୍‌ ଇଣ୍ଡିଆର ୪ ନଂରେ ବ୍ୟାଟିଂ କରିବେ ବୋଲି କୁହାଯାଉଥିଲା। ହେଲେ ବିଶ୍ୱକପ୍‌ର ୧୫ ଜଣିଆ ସ୍କ୍ୱାଡ୍‌ରୁ ରାୟୁଡୁଙ୍କୁ ବିସିସିଆଇ ବାଦ ଦେଇ ବିଜୟ ଶଙ୍କରଙ୍କୁ ସୁଯୋଗ ଦେଇଥିଲା। ଏହି ଘଟଣାକୁ ନେଇ ରାୟୁଡୁ ନିଜର ଅସନ୍ତୋଷ ମଧ୍ୟ ଜାହିର କରିଥିଲା। ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ବିଶ୍ୱକପ୍‌ ସ୍କ୍ୱାଡ୍‌ ଘୋଷଣା କରିବା ବେଳେ ବିଜୟ ଶଙ୍କର ଉଭୟ ଫିଲ୍ଡିଂ, ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି କହିଥିଲେ। ଏହାପରେ ରାୟୁଡୁ ଟ୍ୱିଟ କରି “ମୁଁ ଥ୍ରୀ ଡି ଗ୍ଲାସରେ ବିଶ୍ୱକପ୍‌ ଦେଖିବି” ବୋଲି କହିଥିଲେ।

ରାୟୁଡୁ ଭାରତ ପାଇଁ ୫୦ଟି ଦିନିକିଆ ଖେଳି ୧୬୯୪ ରନ୍‌ କରିଛନ୍ତି। ଏଥିରେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ସେ ଭାରତ ପାଇଁ ୬ ଟି-୨୦ ମ୍ୟାଚ୍‌ରେ ୪୨ ରନ୍‌ କରିଥିଲେ। ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ହୋଇ ନଥିଲେ ହେଁ ବିସିସିଆଇ ରାୟୁଡୁଙ୍କୁ ବ୍ୟାକଅପ୍‌ ଭାବେ ରଖିଥିଲା। କିନ୍ତୁ ଶିଖର ଧୱନ ଓ ବିଜୟ ଶଙ୍କର ଆହତ ହେବା ପରେ ରାୟୁଡୁ ଇଂଲଣ୍ଡ ଗସ୍ତ କରିବାର ସୁଯୋଗ ପାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିସିସିଆଇ ଧୱନଙ୍କ ବଦଳରେ ରିଷଭ ପନ୍ତ ଓ ଶଙ୍କରଙ୍କ ବଦଳରେ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରିଛି। ଏହି କାରଣ ପାଇଁ ରାୟୁଡୁ କ୍ରୋଧିତ ହୋଇ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିଥିବା ଚର୍ଚ୍ଚା ହେଉଛି।

Comments are closed.