୨୦୧୮ରେ ୧.୮୮ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ମରିଛନ୍ତି: ନୀତିନ୍ ଗଡ଼କରୀ

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନଜରରେ ରଖି କେନ୍ଦ୍ର ସରକାର ଆଗାମୀ ଦିନରେ ତାମିଲନାଡୁ ମଡେଲ ଆପଣାଇବାକୁ ଚିନ୍ତା କରୁଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ସୋମବାର ରାଜ୍ୟସଭାରେ ପ୍ରଶ୍ନକାଳ ଆଲୋଚନା କାଳରେ ଏହା କହିଛନ୍ତି। ସେ କହିଛନ୍ତି ଦେଶରେ ତାମିଲନାଡୁ ହେଉଛି ଗୋଟିଏ ମାତ୍ର ରାଜ୍ୟ ଯେଉଁଠି ସଡ଼କ ଦୁର୍ଘଟଣା ସବୁଠୁ କମ୍।
ଗଡ଼କରୀ ସଂସଦରେ ଆହୁରି କହିଛନ୍ତି ଯେ, ଗତବର୍ଷ ସାରା ଦେଶରେ ସଡ଼କ ଦୁର୍ଘଟଣାରେ ୧.୮୮ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ଏହି ସବୁ ଦୁର୍ଘଟଣା ହେଉଛି। ତେଣୁ ଆଗାମୀ ଦିନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ‘ବ୍ଲାକ ସ୍ପଟ’ ଗୁଡ଼ିକର ସର୍ବେକ୍ଷଣ କରାଯାଇ ଆବଶ୍ୟକ ପରିବର୍ତ୍ତନ ବା ମରାମତି ହେବ। ଏହି ‘ବ୍ଲାକ ସ୍ପଟ’ ଗୁଡ଼ିକର ମରାମତି ପାଇଁ ବିଶ୍ୱ ବ୍ୟାଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି। ଏସିଆ ବିକାଶ ବ୍ୟାଙ୍କ ଏଥିପାଇଁ ୭ ହଜାର କୋଟି ଏବଂ ବିଶ୍ୱ ବ୍ୟାଙ୍କ ୭ ହଜାର କୋଟି ଟଙ୍କା ଦେବେ ବୋଲି ସେ କହିଛନ୍ତି।