ଅଗଷ୍ଟ ୮ରେ ‘ଓଡ଼ିଶା ଶିକ୍ଷା ସମ୍ମାନ’ ସମାରୋହ, ଯୋଗଦେବେ ରାମପାଳ କୌଶିକ ଓ ଅରୁଣ ସାହୁ

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଚଳିତ ଅଗଷ୍ଟ ମାସ ୮ ତାରିଖରେ ‘ଓଡ଼ିଶା ଶିକ୍ଷା ସମ୍ମାନ’ (Odisha Education Award 2019) ସମାରୋହ ଅନୁଷ୍ଠିତ ହେବ।
ଏହି ସମାରୋହରେ ଆଇସିଏଫ୍ଏଆଇ ବିଶ୍ବବିଦ୍ୟାଳୟ କୁଳାଧିପତି, କିଟ୍ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳାଧିପତି, ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ତଥା ତୁର୍କମେନିସ୍ଥାନରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ପ୍ରଫେସର ରାମପାଳ ଯାଦବ ଏବଂ ଓଡ଼ିଶାର ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ତଥା କବି ଓ ଇତିହାସ ଗବେଷକ ଡ. ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗ ଦେବେ।
ସ୍ଥାନୀୟ ଜୟଦେବ ଭବନରେ ସଂଧ୍ୟା ୬ଟାରେ ଆୟୋଜିତ ହେବାକୁ ଥିବା ଏହି ସମାରୋହରେ ପ୍ରାକ୍-ବିଦ୍ୟାଳୟ ଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୨୦ଟି ବିଭାଗରେ ରାଜ୍ୟର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ମାନ ପ୍ରଦାନ କରାଯିବ ବୋଲି ଆୟୋଜକ ଅନୁଷ୍ଠାନ ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଜଣାଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ ସ୍ବତନ୍ତ୍ର ଭାବେ ଶିକ୍ଷାକ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଅନୁଷ୍ଠାନମାନଙ୍କୁ ଏ ଉତ୍ସବ ମାଧ୍ୟମରେ ସମ୍ମାନିତ କରାଯାଉଛି ବୋଲି ସେ କହିଛନ୍ତି।
ଭବିଷ୍ୟତ ନାଗରିକ ଗଠନରେ ଶିକ୍ଷାର ଭୂମିକା ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏହି କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିଥିବା ଅନୁଷ୍ଠାନଗୁଡ଼ିକୁ ଚିହ୍ନଟ କରି ପ୍ରୋତ୍ସାହିତ କରିବା ଏ ଉତ୍ସବର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ବିଭିନ୍ନ ବର୍ଗରେ ପ୍ରାୟ ୧୬୦ଟି ଅନୁଷ୍ଠାନ ଠାରୁ ନାମାଙ୍କନ ଗ୍ରହଣ କରାଯାଇଥିବା ବେଳେ ପ୍ରତି ବର୍ଗରେ ଗୋଟିଏ ମାତ୍ର ଅନୁଷ୍ଠାନକୁ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ପୁରସ୍କୃତ କରିବାକୁ ଅନୁଷ୍ଠାନ ନିଷ୍ପତ୍ତି ନେଇଛି।
ଉତ୍ସବରେ ଯୋଗଦେବା ପାଇଁ କୌଣସି ପ୍ରବେଶିକା ମୂଲ୍ୟ ବା କଟକଣା ନାହିଁ। ଯେ କେହି ଆଗ୍ରହୀ ବ୍ୟକ୍ତି ଏଥିରେ ଯୋଗଦେଇ ପାରିବେ ବୋଲି ଶ୍ରୀ ପଣ୍ଡା ଜଣାଇଛନ୍ତି।