ଦ୍ୱନ୍ଦ୍ୱରେ କୋହଲି: କିଏ ହେବ ଇନ୍ କିଏ ହେବ ଆଉଟ୍

ଆଣ୍ଟିଗୁଆ: ଆସନ୍ତାକାଲି(ଗୁରୁବାର) ଭାରତ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ତାର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଏଥିସହିତ ଟିମ୍ ଇଣ୍ଡିଆ ତାର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଅଭିଯାନ ମଧ୍ୟ ଆରମ୍ଭ କରିବ। ବିଶ୍ୱ ଟେଷ୍ଟ ଚାମ୍ପିନଶିପର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ କେଉଁ ଖେଳାଳି ନେଇ ଖେଳିବ ସେ ନେଇ ଏବେ ଚର୍ଚ୍ଚା। ପ୍ଲେଇଙ୍ଗ ଇଲେଭେନ୍ ଚୟନକୁ ନେଇ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଓ ଅଧିନାୟକ ବିରାଟ କୋହଲି ଦ୍ୱନ୍ଦ୍ୱରେ ପଡିଛନ୍ତି।
୭ମାସ ପରେ :
ଭାରତ ସାଢ଼େ ୭ ମାସ ପରେ ଟେଷ୍ଟ ଖେଳିବାକୁ ଯାଉଛି। ତେଣୁ କୋଚ ରବି ଶାସ୍ତ୍ରୀ ଓ କୋହଲି ଷଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ଖେଳାଇବେ ନା ଜଣେ ଅତିରିକ୍ତ ବୋଲଙ୍କୁ ଖେଳାଇବେ ତାହା ଦେଖିବାକୁ ବାକି ରହିଲା। ଅପରପକ୍ଷେ ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଅଜିଙ୍କ୍ୟ ରାହାନେଙ୍କ ମଧ୍ୟରୁ କାହାକୁ ଖେଳାଇବେ ସେ ନେଇ କୋହଲି ଦ୍ୱନ୍ଦ୍ୱରେ ପଡିଛନ୍ତି। ଅନ୍ୟପଟେ ପଞ୍ଚମ ବୋଲରକୁ ଖେଳାଇବେ ନା ନାଇଁ ସେ ନେଇ କୋହଲି ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇ ପାରିନାହାନ୍ତି।
ରଣନୀତି କଣ ହୋଇପାରେ:
ଯଦି ପରମ୍ପରା ଅନୁଯାୟୀ ଭାରତ ରଣନୀତି ସ୍ଥିର କରେ ତା,ହେଲେ ମୟଙ୍କ ଅଗ୍ରଓ୍ବାଲ ଓ ଲେକେଶ ରାହୁଲ ଇନିଂସ ଓପନ୍ କରିବେ। ତେବେ ଗତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଅନ୍ତିମ ଦୁଇଟି ଟେଷ୍ଟରେ ରାହୁଲଙ୍କୁ ବାଦ୍ ଦିଆଯାଇ ତାଙ୍କ ସ୍ଥାନରେ ହନୁମା ବିହାରୀଙ୍କୁ ସୁଯୋଗ ଦିଆଯାଇଥିଲା। ତେବେ ବିହାରୀ ଅଧିକ ରନ ସଂଗ୍ରହ କରି ନ ଥିଲେ। ସେ ନୂଆ ବଲ୍କୁ ଅଧିକ ସମୟ ଧରି ଖେଳିଥିଲେ। ଯାହା ଫଳରେ ମୟଙ୍କ ଓ ଚେତେଶ୍ୱର ପୂଜାରା ଖେଳିବାରେ ସହଜ ଅନୁଭବ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ବିହାରୀ ୩ ନମ୍ବର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଯଦି ଟେଷ୍ଟରେ ଗତ ଏକବର୍ଷ ଧରି ରାହୁଲଙ୍କ ଦୁର୍ବଳ ଫର୍ମକୁ ବିଚାର କରାଯାଏ ତା,ହେଲେ ହନୁମାଙ୍କୁ ଇନିଂସ ଓପନ କରିବାର ସୁଯୋଗ ମିଳିପାରେ। ପୂଜାର ୩ ଓ କୋହଲି ୪ ନମ୍ବରରେ ବ୍ୟାଟିଂ କରିବେ। ତେବେ ଏହାପରେ ସମସ୍ୟା ଆରମ୍ଭ ହେଉଛି।
ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୬ ନମ୍ବରରେ ବ୍ୟାଟିଂ କରିବେ। ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୭ ନମ୍ବରରେ ବ୍ୟାଟିଂ କରିବେ। ଏପରିସ୍ଥଳେ ରାହାନେ କିମ୍ବା ରୋହିତଙ୍କୁ କୋହଲି ୫ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ଦେଇପାରନ୍ତି। ଟେଷ୍ଟରେ ରୋହିତ ଶେଷଥର ପାଇଁ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ପୁଣି ସେ ଅଭ୍ୟାସ ମ୍ୟାଚ୍ରେ ରୋହିତ ମଧ୍ୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଅନ୍ୟପଟେ ରାହାନେ ଅଭ୍ୟାସ ମ୍ୟାଚ୍ରେ ଭଲ ରନ୍ ସଂଗ୍ରହ କରିପାରି ନ ଥିଲେ। ପୁଣି ସେ ହାମ୍ପିସାୟାର ତରଫରୁ କାଉଣ୍ଟି ଖେଳିଥିଲେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଯଦି ଦୁଇଜଣଙ୍କୁ ଖେଳାଯାଏ ତା,ହେଲେ ୪ ଜଣ ବୋଲରଙ୍କୁ ନେଇ କୋହଲି ପଡିଆକୁ ଓହ୍ଲାଇବେ।
୩ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି, ଇଶାନ୍ତ ଶର୍ମାଙ୍କ ସମେତ ରବିଚନ୍ଦ୍ରନ ଅଶ୍ୱିନ୍ କିମ୍ବା କୁଲଦୀପ ଯାଦବଙ୍କୁ ଜଣେ ସ୍ପିନର ଭାବେ ଟିମ୍ ମ୍ୟାନେଜମେଣ୍ଟ ଖେଳାଇପାରେ। ପୁଣି ଯଦି ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ଖେଳାଯାଏ ତା,ହେଲେ ଜାଜେଡାଙ୍କୁ ବାହାରେ ବସିବାକୁ ପଡିବ। ଏପଟେ ଉଷ୍ନ ପରିବେଶରେ ବୋଲରମାନେ କ୍ଳାନ୍ତ ହେବା ସ୍ବାଭାବିକ। ପୁଣି ଓଭର ରେଟ୍କୁ ବଜାୟ ରଖିବାକୁ ହେଲେ ଦଳ ଆହୁରି ସମସ୍ୟାର ସମ୍ମୁଖୀନ ହେବ। ମ୍ୟାଚ୍ ଜିତିବାକୁ ହେଲେ ୨୦ ଉଇକେଟ ହାସଲ କରିବାକୁ ପଡିବ। ତେଣୁ ୫ଜଣ ବୋଲରଙ୍କୁ ଖେଳାଇବା ସପକ୍ଷରେ କୋହଲି ସବୁବେଳେ ରହିଆସିଛନ୍ତି।