କଥା, କବିତା, ନୃତ୍ୟ ଓ ସଂଗୀତର ଉଷ୍ମ ଉତ୍ସବ “ଶରତ ସଂଧ୍ୟା”

ଶରତ କୁମାର ଦାଶଙ୍କ ୮ମ କବିତା ସଂକଳନ ତଥା ସଂଗୀତ ଆଲବମ୍ ‘ଆରୋହଣ’ ଓ ପ୍ରଥମ ଗଳ୍ପ ସଂକଳନ ‘ଘାସଫୁଲ’ ଉନ୍ମୋଚିତ
ଭୁବନେଶ୍ୱର: ପ୍ରସିଦ୍ଧ କବି ଓ କଥାକାର ଶ୍ରୀ ଶରତ କୁମାର ଦାଶଙ୍କ ବିବିଧ ସୃଜନଧାରାକୁ ନେଇ ରାଜ୍ୟର ଜଣାଶୁଣା ପ୍ରକାଶନ ସଂସ୍ଥା ‘ପେନ୍ ଇନ୍ ବୁକ୍ସ’ ପକ୍ଷରୁ ‘ଶରତ ସଂଧ୍ୟା’ ନାମରେ ଏକ ଅଭିନବ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ଜଣାଶୁଣା ଲେଖକ, କଳାକାର, ଅଭିନେତା, ସଂଗୀତଜ୍ଞ, ରାଜନେତା, ପ୍ରଶାସକ, ଆଇନଜୀବୀ ଓ ବରିଷ୍ଠ ଅଧିକାରୀଙ୍କ ସମେତ ବହୁ ସାହିତ୍ୟ-ସଂଗୀତ ପ୍ରେମୀ ଜନସାଧାରଙ୍କ ଅସମ୍ଭବ ଭିଡ଼ରେ ରବୀନ୍ଦ୍ର ମଣ୍ଡପର ଏ ସଂଧ୍ୟାଟି ବେଶ୍ ସାବଲୀଳ ଓ ସ୍ମରଣୀୟ ହୋଇଥିଲା। ଏପରିକି ପ୍ରେକ୍ଷାଳୟର ତଳ ଓ ବାଲକୋନୀ ପୂର୍ଣ୍ଣ ହୋଇଯିବା ପରେ ବହୁ ଆଗ୍ରହୀ ଦର୍ଶକ ଠିଆ ହୋଇ ଉତ୍ସବ ଉପଭୋଗ କରିବାର ଦୃଶ୍ୟ ଏକ ସାହିତ୍ୟ ସଭା ପରିପ୍ରେକ୍ଷୀରେ ଥିଲା ବେଶ୍ ବିରଳ।
ମଞ୍ଚ ତଳେ ବରିଷ୍ଠ କବି ରମାକାନ୍ତ ରଥ, ବରିଷ୍ଠ କଥାଶିଳ୍ପୀ ବିଭୂତି ପଟ୍ଟନାୟକ, ବରିଷ୍ଠ ଅଭିନେତା ବିଜୟ ମହାନ୍ତି, ବରିଷ୍ଠ ସଂଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ରବିନାରାୟଣ ସେନାପତି, ଅଭିନେତ୍ରୀ ଅନୁ ଚୌଧୁରୀ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ଜଣାଶୁଣା ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଶରତ ଭଦ୍ର, ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି କୁମରବର ଦାସ ଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଆଇନ ବିଭାଗ ପ୍ରାଧ୍ୟାପକ ପ୍ରବୀର କୁମାର ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ଅଶୋକ ଦାସଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତିତ୍ବଙ୍କ ଉପସ୍ଥିତି ଉତ୍ସବକୁ ଅଧିକ ଓଜନଦାର କରିଥିଲା।
ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଅଗଷ୍ଟ ୨୫, ୨୦୧୯ ରବିବାର ସଂଧ୍ୟାରେ ଆୟୋଜିତ ନୃତ୍ୟ, ସଂଗୀତ, କବିତା ଓ କଥାର ଏହି ବିରଳ ଉତ୍ସବରେ ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଶ୍ରୀ ଦାଶଙ୍କ ଅଷ୍ଟମ କବିତା ପୁସ୍ତକ ଓ ସଂଗୀତ ଆଲବମ ‘ଆରୋହଣ’ ସାଙ୍ଗକୁ ପ୍ରଥମ ଗଳ୍ପ ସଂକଳନ ‘ଘାସଫୁଲ’ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଉନ୍ମୋଚନ ଅବସରରେ ନିଜର ଲେଖକୀୟ ଅଭିବ୍ୟକ୍ତି ବାଢ଼ି ଉପସ୍ଥିତ ଦର୍ଶକ ମଣ୍ଡଳୀକୁ ଭାବପ୍ରବଣ କରିଦେଇଥିଲେ ଥିଲେ ଶ୍ରୀ ଦାଶ ।
‘ଆରୋହଣ’ କବିତା ସଂକଳନରେ ୫୧ଟି କବିତା ଥିବା ବେଳେ ଏହାର ନିର୍ବାଚିତ ୧୦ଟି କବିତାକୁ ସଂଗୀତରେ ସଜାଇଛନ୍ତି ପ୍ରସିଦ୍ଧ ସଂଗୀତ ବିଜ୍ଞାନୀ ପ୍ରେମ୍ ଆନନ୍ଦ । ‘ଘାସଫୁଲ’ ସଂକଳନର ସମସ୍ତ ୧୬ଟି ଗଳ୍ପ ଶ୍ରୀ ଦାଶ ଆଜକୁ ପ୍ରାୟ ୪ ଦଶନ୍ଧି ତଳେ ନିଜର ଛାତ୍ରାବସ୍ଥାରେ ରଚନା କରିଥିଲେ ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା କବି ଡ. ଅରୁଣ କୁମାର ସାହୁ କହିଥିଲେ ଯେ ଆମମାନଙ୍କର ଜୀବନର ପଥରେ ଆରୋହଣ ଓ ଅବତରଣ ଚିରକାଳ ଚାଲିଥାଏ। କାଲି ଯେ ସଫଳତାର ଶୀର୍ଷକୁ ଛୁଇଁଥିଲା ଆଜି ସେ ଅଲୋଡ଼ା ହୋି ଅପନ୍ତରାରେ ପଡ଼ିଯାଏ। କିନ୍ତୁ ସାହିତ୍ୟ ସାଧନାରେ କେବେ ଅବତରଣ ନ ଥାଏ। ସାହିତ୍ୟ ଚିର ଆରୋହଣର ଏକ ନିରବଧି ସୃଜନ ଯାତ୍ରା। ଏ ଯାତ୍ରାରେ ଶରତ କୁମାର ଦାଶଙ୍କ ଆରୋହଣ କାବ୍ୟ ପୁସ୍ତକ ଆଉ ଏକ ଉଜ୍ଜ୍ବଳ ତାରକା ହୋଇ ଯୋଡ଼ିହୋଇଛି। ଶ୍ରୀ ଦାଶଙ୍କ ଗଳ୍ପ ସଂକଳନ ‘ଘାସଫୁଲ’ର ଗଳ୍ପ ସବୁ ପଢ଼ି ନିଜର କ୍ୟାମ୍ପସ ଜୀବନକୁ କିଛି ସମୟ ପାଇଁ ଫେରିଯାଇଥିବା ମନ୍ତ୍ରୀ ଡ ସାହୁ କହିଲେ ଯେ ନିଜ ବାଣୀବିହାର ଜୀବନରେ ଶରତ କୁମାର ଦାଶ ଯେଉଁ ସୃଜନକୁ ଘାସ ବୁଣିଥିଲେ ଆଜି ୪ ଦଶନ୍ଧି ପରେ ସେଥିରେ ଫୁଲ ଚହଟିଛି। ତାଙ୍କର ଏ ଶରତ ସଂଧ୍ୟାରେ ‘ସଫଳତାର ସଂଜ’ ଚିରକାଳ ଚହଟୁଥାଉ, କେବେ ରାତି ନ ଆସୁ ବୋଲି କହିଥିଲେ ଶ୍ରୀ ସାହୁ।
ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଏ ଭଳି ଏକ ମୋହାଚ୍ଛନ୍ନ ଉତ୍ସବରେ ଅତିଥି ଭାବରେ ଯୋଗଦେଇ ନିଜର ଖୁସିପ୍ରକଟ କରିଥିଲେ। କୌଣସି ସାହିତ୍ୟ ସଭାରେ ସେ ଏଭଳି ଉଚ୍ଛ୍ବସିତ ଦର୍ଶକ ଦେଖି ନଥିବା କହିଥିଲେ। ସାହିତ୍ୟ ଓ ସଂସ୍କୃତି ପ୍ରତି ସହରବାସୀଙ୍କର ଏ ଆଗ୍ରହ ଆମ ଓଡ଼ିଆ ଭାଷା ସାହିତ୍ୟର ଉଜ୍ଜ୍ବଳ ଭବିଷ୍ୟତର ସଂକେତ ଦେଉଛି ବୋଲି ଶ୍ରୀ ସାହୁ କହିଥିଲେ।
ମୁଖ୍ରବକ୍ତା ଭାବେ ଯୋଗଦେଇ ପ୍ରବୀଣ କବି ଓ ବରିଷ୍ଠ ସମାଲୋଚକ ଡ. ହୃଷୀକେଶ ମଲ୍ଲିକ ଶରତ ଦାଶଙ୍କ ଉଭୟ ପୁସ୍ତକର ଭାବ ଓ ଭାଷା ଉପରେ ଆଲୋକପାତ କରିଥିଲେ। ଶ୍ରୀ ଦାଶଙ୍କ କବିତାରେ ଗଭୀର ଇଶ୍ବରପ୍ରେମ ଦିଶୁଥିଲେ ହେଁ ପ୍ରଚ୍ଛନ୍ନରେ ଦୁଇଟି ଛଳଛଳ ପ୍ରେମଯୋଡ଼ି ହିଁ ରହିଥିବା ସେ କହିଥିଲେ। ଶ୍ରୀ ଦାଶଙ୍କ କବିତାରେ ପ୍ରେମ, ଭକ୍ତି ଆଉ ଛଳଛଳ ଭାବ ଗୋଟିଏ ସୂତାରେ ବାନ୍ଧି ହୋଇ ରହିଥିବା ବେଳେ ତାଙ୍କ ଗଳ୍ପର ବର୍ଣ୍ଣନା ଶୈଳୀ ବି କୌଣସି କବିତା ଠାରୁ କମ ନୁହେଁ ବୋଲି ଡ. ମଲ୍ଲିକ ମତ ଦେଇଥିଲେ।
ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ପ୍ରଣବ କୁମାର ଦାସ ଅତିଥି ଭାବରେ ଯୋଗଦେଇ ୪୦ ବର୍ଷ ତଳକୁ ଫେରିପାଇଥିଲେ। ୪୦ ବର୍ଷ ପରେ ଏବେ ଓଡ଼ିଶାକୁ ଫେରିବା ପରେ ଭାଷା ପ୍ରତି ଲୋକଙ୍କର ଆଗ୍ର ଦେଖି ସେ ଅଭିଭୂତ ହେଉଛନ୍ତି ବୋଲି କହିଥିଲେ।
ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋରଂଜନ ପାଣିଗ୍ରାହୀ ପ୍ଲାଟୋଙ୍କ ଠାରୁ ଆରମ୍ଭ କରି ହେମିଂଓ୍ବେଙ୍କ ପର୍ଯ୍ୟନ୍ତ ବିଶ୍ବର ବିଶିଷ୍ଟ ଲେଖକ ଓ ଦାର୍ଶନିକଙ୍କ ବକ୍ତବ୍ୟର ଅବତାରଣା କରି ବହି ଓ ଜ୍ଞାନର ଗରିମା ବର୍ଣ୍ଣନା କରିଥିଲେ। ବହି ହେଉଛି ସବୁଠୁ ପରମ ମିତ୍ର ଯିଏ କେବେ ବି ଧୋକାଦିଏନାହିଁ। ସେହି ବହି ହିଁ ଆମକୁ ଆଜି ଏକାଠି କରିଛି ଓ ବନ୍ଧୁତାର ନୂଆ ଏକ ସୂତ୍ରରେ ବାନ୍ଧିଛି ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ।
ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ କବିତାର ସଂଗୀତ ରୂପ କରିବାର ସାଧନା ବିଷଞରେ ସୂଚନା ଦେଇଥିଲେ। ସିନେମାର ସଂଗୀତ କରିବା ବେଳେ ଏକ ନିର୍ଦ୍ଦିଷ୍ଟ ଧାରା ବା ଶୈଳୀରେ ଗୀତ ରଚନା ହେଉଥିବା ବେଳେ କବି ସ୍ବାଧୀନ ଭାବରେ ନିଜର କବିତା ଲେଖିଥାଆନ୍ତି। ତାହାକୁ ଗୀତ ମନେ କରି ସଂଗୀତର ରୂପଦେବା ବେଶ୍ କଷ୍ଟସାଧ୍ୟ। ତେବେ ଏ ଶ୍ରମକୁ ସେ ଉପଭୋଗ କରିଛନ୍ତି ଯାହା କି ପରବର୍ତ୍ତୀ ସମୟରେ ତାଙ୍କୁ ସିନେମା ସଂଗୀତ ନିର୍ମାଣ ବେଳେ ସହଯୋଗ କରୁଛି ବୋଲି କହିଥିଲେ ପ୍ରେମ୍ ଆନନ୍ଦ।
ଏ ଅବସରରେ ‘ଆରୋହଣ’ ଆଲବମରେ କଣ୍ଠଦାନ କରିଥିବା ବର୍ତ୍ତମାନ ସମୟରେ ରାଜ୍ୟର ଚର୍ଚ୍ଚିତ କଣ୍ଠଶିଳ୍ପୀ ଦୀପ୍ତିରେଖା, ହ୍ୟୁମାନ ସାଗର, ସବିଶେଷ, ଦେବକୃପା, ଆଶୁତୋଷ, ବିଷ୍ଣୁମୋହନ, ଲୋପାମୁଦ୍ରା, ସତ୍ୟଜିତ ଓ ଜ୍ୟୋତିର୍ମୟୀ ପ୍ରମୁଖ ମଞ୍ଚରେ ସଂଗୀତ ପରସିଥିଲେ।
ଉତ୍ସବ ଆରମ୍ଭରେ କବି ଶ୍ରୀ ଦାଶଙ୍କ ଅନ୍ୟ ଏକ ସଂଗୀତ ଆଲବମ ‘କୁହନାହିଁ କିଛି’ର ‘ମୋହନ ମୋହିଛି’ ସଂଗୀତ ଆଧାରରେ ଗୁରୁ ଗୌରୀଶଙ୍କର ଦାଶଙ୍କ ଛାତ୍ରଛାତ୍ରୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ‘ଘାସଫୁଲ’ ସଂକଳନର ‘ପଥର’ ଗଳ୍ପକୁ ନେଇ ଚମକ୍ରାର କଥାଭିନୟ ପ୍ରଦର୍ଶନ କରିଥିଲେ ପ୍ରାଚୀତାରା ମିଶ୍ର।
ଉତ୍ସବରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥି ଓ କଣ୍ଠଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ଶ୍ରୀ ଶରତ କୁମାର ଦାଶଙ୍କର ଶୁଭେଚ୍ଛୁ ଅରବିନ୍ଦ ଦାସ, ଡ. ସୂର୍ଯ୍ୟନାରାୟଣ ବେହେରା, ବ୍ରଜବନ୍ଧୁ ପାଣି, ଶଙ୍କର ନାରାୟଣ ସୁବୁଦ୍ଧି, ଅସିତ କୁମାର ମହାପାତ୍ର, ସରୋଜ କୁମାର ମହାପାତ୍ର, ଜୟାଶିଷ ରାୟ, ଚିତ୍ତରଂଜନ ଦାସ, ସୁନୀଲ ମୁରାର୍କା, ଦେବାଶିଷ ପଟ୍ଟନାୟକ, ଜୟଶ୍ରୀ ଧଳ ଓ ଦୀପ୍ତେଶ ମହାପାତ୍ର, ମଂଚ ସଂଚାଳକ ମୃତ୍ୟୁଞ୍ଜୟ ରଥ, ରବୀନ୍ଦ୍ର ମଣ୍ଡପର ପରିଚାଳକ ପ୍ରମୋଦ କୁମାର ବିଶ୍ୱାଳ, ପୁସ୍ତକ ପ୍ରକାଶନରେ ସହଯୋଗ ରଖିଥିବା ସରୋଜ ମାହାରଣା ଓ ଭ୍ରମରବର ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ କଥାକାର ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା ଉତ୍ସବ ଆରମ୍ଭରେ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉତ୍ସବ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ମଂଚ ସଂଚାଳନ କରିଥିଲେ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ।
ଉତ୍ସବ ଅଭ୍ୟର୍ଥନା କମିଟିର ସଦସ୍ୟ ସୂଚୀସ୍ମିତା ପୃଷ୍ଟି, ଶୁଭେନ୍ଦୁ ଦାସ, ଅଜୟ ନାୟକ, ଗିରୀଶ ରଂଜନ ସାହୁ, ରଜନୀକାନ୍ତ ତରାଇ, ମିଲନ ପ୍ରଧାନ, ଆଶିଷ କୁମାର ରଥ, ଓ ଶୁଭଶ୍ରୀ ଶୁଭଲକ୍ଷ୍ମୀ ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।