ବର୍ଣ୍ଣବୋଧ ପୋଡ଼ି ମାମଲା: ଅଭିଯୋଗ ଫେରାଇନେଲେ ହଳଧର ନାଗ

ବରଗଡ଼: ରାଜ୍ୟରେ ବେଶ୍ କିଛିଦିନ ହେବ ବର୍ଣ୍ଣବୋଧ ପୋଡ଼ି ଦୃଶ୍ୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୃଶ୍ୟକୁ କୋଶଳ ସାହିତ୍ୟ ଡଟ୍ ଇନ୍ ଫେସ୍ବୁକ୍ ପେଜ୍ରେ ଅପ୍ଲୋଡ୍ ହେବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୃଶ୍ୟକୁ ଅପ୍ଲୋଡ୍ କରାଯାଇଥିବା ପେଜ୍ରେ ପଦ୍ମଶ୍ରୀ ହଳଧର ନାଗଙ୍କ ଫଟୋ ପୋଷ୍ଟ କରାଯାଇଥିଲା।
ଏହି ମାମଲା ନେଇ ହଳଧର ନାଗ ମେଲଛାମୁଣ୍ଡା ଥାନାରେ ଅଗଷ୍ଟ ୧୫ ତାରିଖରେ ଏତଲା ଦେଇଥିଲେ। କୋଶଳ ସାହିତ୍ୟ ଡଟ୍ ଇନ୍ ନାମକ ଉକ୍ତ ଫେସ୍ବୁକ୍ ପେଜ୍ରେ ତାଙ୍କ ଫଟୋ ଅପ୍ଲୋଡ୍ ହେବା ମାମଲାକୁ ନେଇ ହଳଧର ନାଗ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ କୋଶଳବାଦୀ ନେତା ଗାଇସିଲଟ୍ ବ୍ଲକ ବରୋମୁଣ୍ଡା ଗାଁର ସାକେତ ଶ୍ରୀଭୂଷଣ ସାହୁଙ୍କ ନାମରେ ଏତଲା ଦେଇଥିଲେ। ମେଲଛାମୁଣ୍ଡା ପୁଲିସ୍ ସାକେତଙ୍କୁ ଜେରା କରିବା ପରେ ଛାଡ଼ି ଦେଇଥିଲା। ଗତକାଲି ବିଳମ୍ବିତ ସଂଧ୍ୟାରେ ହଳଧର ନାଗ ଥାନାରେ ପହଞ୍ଚି ସାକେତଙ୍କ ବିରୋଧରେ ଦେଇଥିବା ମାମଲାକୁ ପ୍ରତ୍ୟାହାର କରି ନେଇଥିବା ଜଣାପଡ଼ିଛି। ସାକେତ ମଧ୍ୟ ଏହି ସମୟରେ ଥାନାରେ ଉପସ୍ଥିତ ଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।