Odisha Link
Bridging the Missing Links in Odisha

କୋହଲି ହୋଇପାରନ୍ତି ଏହି ରେକର୍ଡର ଅଧିକାରୀ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ପରିପ୍ରେକ୍ଷୀରେ ବିରାଟ ହୋଇପାରନ୍ତି ଟିମ୍‌ ଇଣ୍ଡିଆର ସବୁଠାରୁ ସଫଳତମ ଅଧିନାୟକ। ଟିମ୍‌ ଇଣ୍ଡିଆର ସଫଳ ଅଧିନାୟକ ହେବାକୁ ହେଲେ ବିରାଟଙ୍କୁ ଆଉ ମାତ୍ର ଗୋଟିଏ ବିଜୟ ଦରକାର। ଶୁକ୍ରବାରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆରମ୍ଭ ହେବାକୁଥିବା ଦ୍ୱିତୀୟ ଟେଷ୍ଟରେ ଯଦି ବିରାଟ ବିଜୟ ହାସଲ କରିବାରେ ସଫଳ ହୁଅନ୍ତି, ତାହେଲେ ସେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି (୨୭ ଟେଷ୍ଟ ମ୍ୟାଚ୍)ଙ୍କ ରେକର୍ଡ ଭାଙ୍ଗି ଦେବେ। ଏଥିସହ ବିରାଟ୍ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଜିତିବାରେ ଭାରତୀୟ କ୍ୟାପଟେନ୍ ହେବେ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟକୁ ୩୧୮ ରନରେ ଜିତିବା ପରେ କ୍ୟାପଟେନ୍ ଭାବେ ବିରାଟ୍ ସର୍ବାଧିକ ଟେଷ୍ଟ ଜିତିବାରେ ଧୋନିଙ୍କ ରେକର୍ଡ ସହ ବରାବର କରିଥିଲେ। କ୍ୟାପଟେନ୍ ଭାବେ ଧୋନି ଓ କୋହଲି ଏପର୍ଯ୍ୟନ୍ତ ୨୭ଟି ଲେଖାଏ ଟେଷ୍ଟ ମ୍ୟାଚ୍ ଜିତିଛନ୍ତି। କ୍ୟାପଟେନ୍ ଭାବେ ଧୋନିଙ୍କ ବିଜୟ ପ୍ରତିଶତ ୪୫% ରହିଛି। ତାଙ୍କ ନେତୃତ୍ୱରେ ଭାରତ ୨୭ ମ୍ୟାଚ୍ ଜିତିଥିବା ବେଳେ ୧୮ଟିରେ ପରାଜୟ ଏବଂ ୧୫ଟି ଡ୍ର’ ହୋଇଛି। ଅନ୍ୟପକ୍ଷରେ କୋହଲିଙ୍କ ବିଜୟ ପ୍ରତିଶତ ୫୫.୩% ରହିଛି। କୋହଲିଙ୍କ ନେତୃତ୍ୱରେ ଭାରତ ୪୭ ଟେଷ୍ଟ ମ୍ୟାଚ୍ ଖେଳିଛି, ଯେଉଁଥିରେ ୨୭ ବିଜୟ, ୧୦ ପରାଜୟ ଏବଂ ୧୦ ଡ୍ର’ ମିଳିଛି।

ଭାରତର ରନ୍ ମେଶିନ୍ କୋହଲି ପୂର୍ବରୁ ହିଁ ବିଦେଶ ମାଟିରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଜିତିବାରେ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗି ସାରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ହିଁ କୋହଲି ଏହି ଉପଲବ୍ଧି ହାସଲ କରିଥିଲେ। କୋହଲିଙ୍କ ନେତୃତ୍ୱରେ ଭାରତ ବିଦେଶରେ ୧୨ଟି ମ୍ୟାଚ୍ ଜିତିଛି। ସେହିପରି ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ବିଦେଶରେ ୧୧ ଟେଷ୍ଟ ମ୍ୟାଚ୍ ଜିତିଛି।

Comments are closed.