‘କାଳିଆ’: ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ନେଇ ଶାସକ ଦଳକୁ ଘେରିଲା ବିଜେପି

ଭୁବନେଶ୍ୱର: ଚର୍ଚ୍ଚାରେ କଳିଆ ଯୋଜନା। କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ନେଇ ଶାସକ ଦଳକୁ ଘେରିଛି ଭାରତୀୟ ଜନତା ପାର୍ଟି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସ୍ଥାନୀୟ ବିଜେଡି ନେତାଙ୍କ ସୁପାରିସ ଅନୁସାରେ ଏହି ତାଲିକା ପ୍ରସ୍ତୁତ ହୋଇଛି। ଯାହାର ତଦନ୍ତ ଏକ ନିରପେକ୍ଷ ସଂସ୍ଥା ଦ୍ୱାରା କରିବାକୁ ସେ ଦାବି କରିଛନ୍ତି। ଆହୁରି କହିଛନ୍ତି ଯେ ,‘ଏହା ଚାଷୀଙ୍କ ପ୍ରତି ଅପମାନ। ଯେଉଁମାନେ ତ୍ରୁଟିପୂର୍ଣ୍ଣ ତାଲିକା ପ୍ରକାଶ କରିଥିଲେ ସେମାନଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଦାବି କରିଛନ୍ତି।
ସେ ଆହୁରି କହିଛନ୍ତି, ‘ ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ ହେଉଛି ରାଜ୍ୟ ରାଜକୋଷର ସୁରକ୍ଷା। ରାଜ୍ୟ ରାଜକୋଷକୁ ଠିକ୍ ଢଙ୍ଗରେ ପରିଚାଳନା କିଭଳି ଭାବରେ କରାଯିବ ତାହା ସରକାରଙ୍କ ନୈତିକ ଦାୟିତ୍ୱ। ଅଯୋଗ୍ୟ ତାଲିକାରେ ଯେତେବେଳେ ଚାଷୀଙ୍କ ନାଁ ଲେଖାଯାଇଛି, ଚାଷୀ ଖାଲି ଭୟଭୀତ ନୁହେଁ ଅପମାନିତ ମଧ୍ୟ ମନେ କରୁଛି।’ ଅଯୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୪୧ ନୁହେଁ, ପ୍ରାୟ ୨୦ ଲକ୍ଷ ହେବ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏଥିପାଇଁ ୧୭୦ କୋଟି ଟଙ୍କା ଅପବ୍ୟୟ ହୋଇଛି। କୃଷି ମନ୍ତ୍ରୀ, ସଚିବ, ଅର୍ଥ ମନ୍ତ୍ରୀ, ସଚିବ ଯେଉଁମାନେ ଚୟନ ପ୍ରକ୍ରିୟାରେ ସାମିଲ ଥିଲେ, ସେମାନଙ୍କ ଦରମାରୁ ଏହି ଟଙ୍କା ଆଦାୟ କରିବାକୁ ବିଜେପି ଦାବି କରିଛି।
Comments are closed.