Odisha Link
Bridging the Missing Links in Odisha

ସେପ୍ଟେମ୍ବର ୨୨ରେ ଓଡ଼ିଶା ୟୁଥ୍‌ ଆଓ୍ବାର୍ଡ, ସମ୍ମାନିତ ହେବେ ୧୬ ଯୁବ ପ୍ରତିଭା

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଚଳିତ ମାସ ୨୨ ତାରିଖ, ରବିବାର ଦିନ ଆୟୋଜିତ ହେଉଛି ପ୍ରଥମ ଓଡ଼ିଶା ଯୁବ ସମ୍ମାନ ସମାରୋହ। ଏ ଅବସରରେ ୪୦ ବର୍ଷରୁ କମ୍‌ ଯୁବ ବର୍ଗର ୧୬ ଜଣ ପ୍ରସିଦ୍ଧ, ସଫଳ ଓ ଉଦ୍‌ଯୋଗୀ ଯୁବ ପ୍ରତିଭାଙ୍କୁ ଏ ଅବସରରେ ସମ୍ମାନିତ କରାଯିବ। ସ୍ଥାନୀୟ ଜୟଦେବ ଭବନରେ ସେପ୍ଟେମ୍ବର ୨୦ ତାରିଖ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମାନ ସମାରୋହରେ ବରିଷ୍ଠ ରାଜନୀତିଜ୍ଞ ତଥା ଲୋକସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ଓ ବରିଷ୍ଠ କଥାଶିଳ୍ପୀ ତଥା ଶିଶୁସାହିତ୍ୟିକ ଦାଶ ବେନହୁର ଅତିଥି ଭାବେ ଯୋଗଦେବେ।

ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଓ ସମାଜ ପାଇଁ ନୂଆ ଉଦାହରଣ ତିଆରି କରିଥିବା ଓଡ଼ିଶାର ୧୬ ଜଣ ଯୁବ ପ୍ରତିଭାଙ୍କୁ ଏ ଅବସରରେ ମ୍ମାନିତ କରାଯିବ। ବିଜୁ ଜନତା ଦଳ ନେତା ତଥା ତଥା ରାଜ୍ୟ ସରକାରଙ୍କ ଇଲେକ୍ଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ସିନେ ନାୟିକା ଅର୍ଚ୍ଚିତା ସାହୁ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦୂତୀ ଚାନ୍ଦ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ, ସମ୍ବାଦର ମୁଖ୍ୟ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼ୀ, ଇଣ୍ଟରନାସନାଲ ପବ୍ଲିକ୍‌ ସ୍କୁଲ ଫର୍‌ ରୁରାଲ ଇନୋଭେସନ୍‌ର ପ୍ରତିଷ୍ଠାତା ଅନୀଲ ପ୍ରଧାନ, ସମାଜସେବୀ କଳ୍ପାଶା ଅଙ୍କିତା ଶ’, ସ୍ଥାପତ୍ୟ କାରିଗର କାନ୍ତକିଶୋର ମହାରଣା, କଥାକାର ରବିନାରାୟଣ ଦାଶ, ସାମାଜିକ ଗଣମାଧ୍ୟମ କର୍ମୀ ରୁଦ୍ରପ୍ରସନ୍ନ ରଥ, ବାଜିରାଓ ଆଇଏଏସ୍‌ ଏକାଡେମୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ରାଂଶୁ ଶେଖର ଓଝା, ସିନେମା ଗୀତିକାର ସୁବ୍ରତ ସ୍ବାଇଁ, ପୋଷଣ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ମୃତି ମହାପାତ୍ର, ଯୁବ ଔପନ୍ୟାସିକ ଅଭିଶେକ ପାଣି ଓ ଯୁବ ଉଦ୍ୟୋଗୀ ଅନୁକୁଳ ଅଗ୍ରଓ୍ବାଲ ପ୍ରମୁଖ ଚଳିତ ବର୍ଷର ଓଡ଼ିଶା ଯୁବ ସମ୍ମାନ ଗ୍ରହଣ କରିବେ।

ଯୁବ ପ୍ରତିଭାଙ୍କୁ ଚିହ୍ନଟ ଓ ସେମାନଙ୍କର ସଫଳତାକୁ ସ୍ବୀକୃତି ଦେବା ସହ ସେମାନଙ୍କ ପ୍ରେରଣାଦାୟୀ କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ଏ ସମ୍ମାନ ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା ଲେଖକ ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଏ ଉତ୍ସବକୁ ସଫଳ କରିବାକୁ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି। ଓଡ଼ିଆ ମିଡିଆ ପକ୍ଷରୁ ବର୍ଷ ତମାମ୍ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ ମାନ ଆୟୋଜିତ ହାେଇଥାଏ। ସେସବୁ ମଧ୍ୟରେ ରହିଛି ଭୁବନେଶ୍ବର ସାହିତ୍ୟ ଉତ୍ସବ, କୋରାପୁଟ ସାହିତ୍ୟ ଉତ୍ସବ, ଓଡ଼ିଶା ମିଡିଆ କନକ୍ଲେଭ୍, ଭାଷା ଉତ୍ସବ, ଓଡ଼ିଶା ଉତ୍କର୍ଷ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ ଓ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ସମ୍ମାନ।

Comments are closed.