Odisha Link
Bridging the Missing Links in Odisha

ବେପରୁଆ ଗାଡି ଚଳାଇ ପୋଲିସ ଏଏସଆଇ ନିଲମ୍ବିତ

ଉଦଳା: ନିଶାସକ୍ତ ଅବସ୍ଥାରେ କାର ଚଳାଇ ଦୁର୍ଘଟଣା କରିବା ପରେ ପୋଲିସ ଏଏସଆଇ ନିଲମ୍ବିତ ହୋଇଛନ୍ତି। ବାରିପଦା ହେଡକ୍ବାର୍ଟର ଥାନାର ଏଏସଆଇ ଶୁଭେନ୍ଦୁ ବେହେରା ନିଲମ୍ବିତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୮ଟା ସମୟରେ ନିଜ କାରରେ କପ୍ତିପଦାରୁ ଉଦଳା ଆସୁଥିଲେ ଶୁଭେନ୍ଦୁ। ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବାରୁ ଗାଡି ଉପରେ ନିୟନ୍ତ୍ରଣ ନଥିଲା। ଉଦଳା-କପ୍ତିପଦା ରାସ୍ତା ଏସଆର ପେଟ୍ରୋଲ ପମ୍ପ୍ ନିକଟରେ ବାଇକରେ ଯାଉଥିବା ୨ ଜଣ ଯୁବକଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲେ। ୨ ଜଣ ଯୁବକ ଗାଡିରୁ ଖସି ତଳେ ପଡିଥିବାବେଳେ ଶୁଭେନ୍ଦୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ବଦଳରେ ଦ୍ରୁତ ଗତିରେ ଖସିଯାଇଥିଲେ। ହେଲେ ନିଶାସକ୍ତ ଅବସ୍ଥାରେ ବେଶି ବାଟ ଯାଇପାରିନଥିଲେ। କୃଷକ ବଜାର ଛକ ନିକଟରେ ଗାଡିକୁ ସାଇଡ କରିବାକୁ ଯାଇ ଖୁଣ୍ଟରେ ବାଡେଇ ହୋଇଥିଲେ। ସେଠାରେ ଲୋକେ ତାଙ୍କୁ କାବୁ କରିଥିଲେ।
ମଦ ପିଇ ମାତାଲ ଅବସ୍ଥାରେ ଗାଡି ଚଳାଉଥିବାରୁ ତାଙ୍କୁ ହଟହଟା ହେବାକୁ ପଡିଛି। ସ୍ଥାନୀୟ ଲୋକେ ତାଙ୍କୁ ଠେଲାପେଲା କରି ଧକ୍କା ମାରିବା ସହ ଘୋଷରାଟଣା କରିଥିଲେ। ପରେ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶୁଭେନ୍ଦୁଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମୟୁରଭଞ୍ଜ ଆରକ୍ଷୀ ଅଧୀକ୍ଷକ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

Comments are closed.