Odisha Link
Bridging the Missing Links in Odisha

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ନିମନ୍ତେ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସିଇଓ ଶ୍ରୀ କୁମାର ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୦୨-ବିଜେପୁର ଉପନିର୍ବାଚନ ପାଇଁ ଜାରି କରାଯାଇଥିବା ବିଜ୍ଞପ୍ତି, ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ, ନାମାଙ୍କନ ପତ୍ରଯାଞ୍ଚ ଓ ପ୍ରତ୍ୟାହାର, ମତଦାନ ତାରିଖ ଓ ଭୋଟ ଗଣତି ସହ ନିର୍ବାଚନ ପ୍ରକ୍ରିୟା ଶେଷ ଇତ୍ୟାଦି ତଥ୍ୟଗୁଡ଼ିକୁ ବୈଠକରେ ଉପସ୍ଥିତ ଥିବା ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଅବଗତ କରାଇବା ସହ ଆସନ୍ତା ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ନିମନ୍ତେ ଶ୍ରୀ କୁମାର ସେମାନଙ୍କର ସହଯୋଗ କାମନା କରିଥିଲେ।

ଉପନିର୍ବାଚନ ଘୋଷଣା ଦିନଠାରୁ ସମଗ୍ର ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି। ସର୍ବସାଧାରଣ କୋଠାମାନଙ୍କରେ ନିର୍ବାଚନ ସଂପର୍କିତ ବ୍ୟାନର, ହୋଡିଂ ଓ ପୋଷ୍ଟରଗୁଡ଼ିକୁ ନଲଗାଇବା ପାଇଁ ରାଜନୈତିକ ଦଳ ଓ ସେମାନଙ୍କର କର୍ମୀମାନଙ୍କୁ ଅନୁରୋଧ କରାଯାଇଛି। ନାମାଙ୍କନ ପତ୍ର ଦାଖଲବେଳେ ପ୍ରାର୍ଥୀମାନେ ଫର୍ମ ନଂ ୨୬ରେ ସଂ ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ, ହେଲେ ସତ୍ୟ ପାଠ ଫର୍ମର କୌଣସି ସ୍ତମ୍ଭ କିଞ୍ଚା କୌଣସି ଧଡ଼ି ଖାଲି ରହିବ ନାହିଁ। ଯଦି କୌଣସି ପ୍ରାର୍ଥୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥାଏ, ତେବେ ସେମାନେ ନିର୍ବାଚନ ପ୍ରଚାର ସମୟରେ ଅନ୍ତତଃ ୩ ଥର ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ ସେମାନେ ତାହାର ପ୍ରଚାର ପ୍ରସାର କରାଇବେ। ପ୍ରଥମ ଥର ପାଇଁ ବିଜେପୁର ଉପନିର୍ବାଚନରେ ଇଭିଏମ୍‌/ଭିଭି ପାଟ୍‌ କ୍ଷେତ୍ରରେ ଏମ୍‌-୩ ଭର୍ସନ ମେସିନ୍‌ (୨୦୧୨ ମସିହା ପରେ ତିଆରି ହୋଇଥିବା ସର୍ବଶ୍ରେଷ୍ଠ ସଂସ୍କରଣ) ନିର୍ବାଚନରେ ବ୍ୟବହାର କରାଯିବ।

ଏହି ବୈଠକରେ ଭାରତୀୟ ଜନତା ପାର୍ଟିର ସମୀର ମହାନ୍ତି, ଗୋଲକ ମହା ପାତ୍ର ଓ ଅଶୋକ କୁମାର ତ୍ରିପାଠୀ, ବିଜୁ ଜନତା ଦଳର ସାଧାରଣ ସଂପାଦକ ଅନନ୍ତ ନାରାୟଣ ଜେନା, ଅନୁସୂଚିତ ଜାତି ଜନମୋର୍ଚ୍ଚାର ସାଧରଣ ସଂପାଦକ ସଂଜୟ କୁମାର ସେଠୀ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ହରିବଲ୍ଲଭ ମିଶ୍ର ଓ ଅଭୟ କୁମାର ନାୟକ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ନୀତି ଶେଖର ସେନ୍‌ ପ୍ରମୁଖ ଯୋଗଦେଇଥିଲେ।

Comments are closed.