ବିଳମ୍ବରେ ଆସିଲା ଆମ୍ବୁଲାନ୍ସ, ଚାଲିଗଲା ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଜୀବନ

ଅହମଦାବାଦ: ବିଳମ୍ବରେ ଆସିଲା ଆମ୍ବୁଲାନ୍ସ। ଯାହାରି ଫଳରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ହୋଇଛି। ଏମିତି ଘଟଣା ଘଟିଛି ଗୁଜୁରାଟରେ। ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଭାଇଙ୍କ କ୍ଷେତ୍ରରେ ଏହା ହୋଇଛି। ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ବିଜୟ ରୂପାଣୀଙ୍କ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଅକ୍ଟୋବର ୪ ତାରିଖରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମାଉସୀ ପୁଅ ଅନୀଲଭାଇ ସଂଘଭୀଙ୍କର ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଉପୁଜିଥିଲା। ଏହାପରେ ହସ୍ପିଟାଲ ନେବା ପାଇଁ ପରିବାର ଲୋକେ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ଅନୀଲଭାଇଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ମୃତକଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ରାଜକୋଟ ଜିଲ୍ଲାପାଳ ରେମ୍ୟା ମୋହନ ସୂଚନା ଦେଇଛନ୍ତି।
ଜିଲ୍ଲାପାଳଙ୍କ ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଫୋନ୍ ଆସିବାର ୩୯ ମିନିଟ୍ ପରେ ଅନୀଲଭାଇଙ୍କ ଘର ସୌରାଷ୍ଟ୍ର କଳା କେନ୍ଦ୍ର ସୋସାଇଟିରେ ପହଞ୍ଚିଥିଲା ଆମ୍ୱୁଲାନ୍ସ। ହେଲେ ସମାନ ନାମରେ ଆଉ ଏକ ସ୍ଥାନ ଥିବାରୁ ଆମ୍ୱୁଲାନ୍ସଟି ଭୁଲ୍ରେ ପ୍ରଥମେ ସେଠାକୁ ଚାଲିଯାଇଥିଲା।
Comments are closed.