Odisha Link
Bridging the Missing Links in Odisha

ଆଜିଠୁ ନୟାଗଡ଼କୁ ଗଡ଼ିବ ‘ସେବା ଏକ୍ସପ୍ରେସ୍‌’ ଟ୍ରେନ୍‌

ନୟାଗଡ଼: ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର। କାରଣ ପୂରଣ ହେବ ନୟାଗଡ଼ବାସୀଙ୍କ ବହୁ ଦିନର ସ୍ୱପ୍ନ। ଆଜିଠୁ ରାଜଧାନୀ ଭୁବନେଶ୍ବରରୁ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ୍‌ ଗଡ଼ିବ। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିଲେ ବି ସହରବାସୀଙ୍କ ପାଇଁ ଏହା ଏକ ଖୁସି ଖବର। ତେବେ ଏହି ଟ୍ରେନର ନାଁ ‘ସେବା ସର୍ଭିସ୍ ଏକ୍ସପ୍ରେସ୍’ ରହିଛି। ଆଉ ଏହି ‘ସେବା ସର୍ଭିସ ଏକ୍ସପ୍ରେସ୍‘ ଏହି ଟ୍ରେନ୍‌ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୬ଟା ୪୦ମିନିଟ୍‌ରେ ଛାଡ଼ି ନୟାଗଡ଼ ଟାଉନରେ ରାତି ୮ଟା ୪୫ମିନିଟ୍‌ରେ ପହଞ୍ଚିବ। ଫେରିବା ପଥରେ ଏହି ଟ୍ରେନ୍ ନୟାଗଡ଼ ଟାଉନଠାରୁ ସକାଳ ୬ଟା୩୦ମିନିଟ୍‌ରେ ଛାଡ଼ି ଭୁବନେଶ୍ୱରରେ ପୂର୍ବାହ୍ନ ୯ଟାରେ ପହଞ୍ଚିବ।

ଅନ୍ୟପକ୍ଷରେ ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ନୂଆଦିଲ୍ଲୀଠାରେ ଭିଡିଓ କନ୍‌ଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ଆହୁରି ୯ଟି ସେବା ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ । ସେବା ଏକ୍ସପ୍ରେସ ଶୁଭାରମ୍ଭ ଉତ୍ସବରେ ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦ୍ମନାଭ ବେହେରା, ଅରୁଣ ସାହୁ ଓ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ପୁରୀ ସାଂସଦ ପିନାକୀ ମିଶ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିବେ।

ପାସେଞ୍ଜର ଟ୍ରେନ୍‌ ସମୟ ପରିବର୍ତ୍ତନ:
ଅନ୍ୟପକ୍ଷରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି । ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର(୫୮୪୩୧) ଖୋର୍ଦ୍ଧା ରୋଡ଼ଠାରୁ ବର୍ତ୍ତମାନର ଚଳାଚଳ ସମୟ ସକାଳ ୭ଟା ୧୫ ପରିବର୍ତ୍ତେ ସକାଳ ୮ଟା ୨୦ରେ ଛାଡ଼ିବ । ନୟାଗଡ଼ ଟାଉନଠାରେ ସକାଳ ୮ଟା ୫୫ ପରିବର୍ତ୍ତେ ପୂର୍ବାହ୍ନ ୯ଟା ୪୫ରେ ପହଞ୍ଚିବ । ଫେରିବା ବାଟରେ ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର( ୫୮୪୩୨) ନୟାଗଡ଼ ଟାଉନଠାରୁ ବର୍ତମାନ ସମୟ ପୂର୍ବାହ୍ନ ୯ଟା ୨୦ ପରିବର୍ତ୍ତେ ପୂର୍ବାହ୍ନ ୧୦ଟାରେ ଛାଡ଼ିବ । ଖୋର୍ଦ୍ଧା ରୋଡ଼ଠାରେ ୧୧ଟା ୫ ପରିବର୍ତ୍ତେ ୧୧ଟା ୪୫ରେ ପହଞ୍ଚିବ ।

ସେହିପରି ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର(୫୮୪୨୯) ଖୋର୍ଦ୍ଧା ରୋଡ଼ଠାରୁ ବର୍ତ୍ତମାନ ଚଳାଚଳ ସମୟ ସନ୍ଧ୍ୟା ୭ଟା ୩୦ ପରିବର୍ତ୍ତେ ସନ୍ଧ୍ୟା ୮ଟା ୧୫ରେ ଛାଡ଼ିବ । ରାତି ୯ଟା ୧୦ ପରିବ‌ର୍ତ୍ତେ ୯ଟା ୪୦ରେ ନୟାଗଡ଼ ଟାଉନଠାରେ ପହଞ୍ଚିବ । ଫେରିବା ପଥରେ ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର(୫୮୪୩୨) ସମୟ ସାରଣୀ ଅପରିବର୍ତ୍ତିତ ରହିବ । ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ସକାଳ ୫ଟାରେ ନୟାଗଡ଼ ଟାଉନ୍‌ରୁ ଛାଡ଼ି ୬ଟା ୪୫ରେ ଖୋର୍ଦ୍ଧା ରୋଡ଼ଠାରେ ପହଞ୍ଚିବ ।

Comments are closed.