ପୂର୍ବତନ ଉପ ନିର୍ଦ୍ଦେଶକ ବିଶ୍ୱେଶ୍ୱର ଦେ ଙ୍କ ବିୟୋଗରେ ମୁଖ୍ୟ କାର୍ଯ୍ୟାଳୟରେ ନୀରବ ପ୍ରାର୍ଥନା ଓ ଶୋକ ସଭା

ଭୁବନେଶ୍ୱର :ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ପୂର୍ବତନ ଉପ ନିର୍ଦ୍ଦେଶକ ବିଶ୍ୱେଶ୍ୱର ଦେଙ୍କର ଗତକାଲି ସଂଧ୍ୟାରେ ପରଲୋକ ଘଟିଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ତାଙ୍କ ସ୍ମୃତିରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ ଏକ ନୀରବ ପ୍ରାର୍ଥନା ଓ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି ଦେ ସୂଚନା ଓ ଲୋକ ସଂପର୍କ ବିଭାଗରେ ଓଡିଶା ସୂଚନା ସେବାର ଜଣେ ଅଧିକାରୀ ଭାବରେ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ପଦପଦବୀରେ ରହି କାର୍ଯ୍ୟ କରିବା ସହିତ କଟକରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ କାର୍ଯ୍ୟକରି ବେଶ୍ ଲୋକପ୍ରିୟ ଥିଲେ । ଶେଷରେ ଉପନିର୍ଦ୍ଦେଶକ ଭାବେ ଅବସ୍ଥାପିତ ସମୟରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରି କଟକରେ ସପରିବାର ରହୁଥିଲେ । ସେ ଜଣେ ସରଳ, ଅମାୟିକ ,କର୍ତବ୍ୟନିଷ୍ଠ ଓ ବନ୍ଧୁ ବତ୍ସଳ ବ୍ୟକ୍ତି ଥିଲେ । ସେ ଅବସର ପରେ ମଧ୍ୟ କଟକର ବିଭିନ୍ନ ସାମାଜିକ, ସାହିତ୍ୟ ଅନୁଷ୍ଠାନ, ସମ୍ବାଦପତ୍ର ପ୍ରକାଶନ ସଂସ୍ଥା ଓ ସ୍ୱାଧୀନତା ସଂଗ୍ରାମୀ ସମିତି ସହିତ ଜଡିତ ଥିଲେ । ଅନୁଷ୍ଠିତ ଏହି ପ୍ରାର୍ଥନା ସଭାରେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ବିପିନି ବିହାରୀ ବାରିକି, ସୁବାସ ଚନ୍ଦ୍ର ସୁପକାର, ଉପ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ, ଉପ ଶାସନ ସଚିବ ଦୁର୍ଗାପ୍ରସାଦ ମହାରଣାଙ୍କ ସମେତ ବିଭାଗର ଅନ୍ୟ ସମସ୍ତ ବରିଷ୍ଟ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଦେ ଙ୍କର ଅମରାତ୍ମାର ସଦ୍ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।