Odisha Link
Bridging the Missing Links in Odisha

କୁଚିଣ୍ଡା ଉପଖଣ୍ଡସ୍ତରୀୟ ଡାକ୍ତରଖାନା ବୁଲି ଦେଖିଲେ ମନ୍ତ୍ରୀ

ଭୁବନେଶ୍ୱର :ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଅଚାନକ କୁଚିଣ୍ଡା ଗସ୍ତ କରି ‘ମୋ ସରକାର’ ଯୋଜନାର ପ୍ରକୃତ ସ୍ଥିତି ସଂପର୍କରେ ଅବଗତ ହେବା ପାଇଁ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ବୁଲି ଦେଖିଥିଲେ । ରୋଗୀମାନଙ୍କୁ ସେମାନଙ୍କ ସୁବିଧା-ଅସୁବିଧା ପଚାରି ବୁଝିବା ସହ ଠିକ୍‌ ଭାବେ ଚିକିତ୍ସାସେବା ମିଳୁଛି ନା ନାହିଁ ସେସବୁର ତଦାରଖ କରିଥିଲେ । ଡାକ୍ତରଖାନା ପରିସର ବୁଲି ଦେଖିବା ସହ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ପରାମର୍ଶ ଦେଇଥିଲେ । ଦୁଇଜଣ ମହିଳା ରୋଗୀ ନିରାମୟ ଯୋଜନାରେ ମିଳିବାକୁ ଥିବା ଔଷଧକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବାହାରୁ କିଣୁଥିବାବେଳେ ଏହି ଘଟଣା ମନ୍ତ୍ରୀଙ୍କ ନଜରକୁ ଆସିଥିଲା । ଏ ଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପାଳ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଦାସ କୁଚିଣ୍ଡା ବ୍ଲକ୍‌ସ୍ଥିତ କୁଣ୍ଡାେ ପାଷୀ ୟୁଜିଏମ୍‌ଇ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ମଧ୍ୟାହ୍ନ ଭୋଜନର ମାନ ପରଖିବା ସହ ଏହାର ନିୟମିତତା ଓ ଗୁଣବତ୍ତା ସଂ ପର୍କରେ ଛାତ୍ରଛାତ୍ରୀଙ୍କଠାରୁ ପଚାରି ବୁଝିଥିଲେ । ମଧ୍ୟାହ୍ନ ଭୋଜନର ମାନ ଓ ସ୍ୱଚ୍ଛ ପରିବେଶ ସ୍ୱଚ୍ଛ ରଖିବାକୁ ପ୍ରଧାନ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ ।

Comments are closed.