Odisha Link
Bridging the Missing Links in Odisha

ଲୋକଜନଶକ୍ତି ପାର୍ଟିର ସଭାପତି ହେଲେ ଚିରାଗ, ଚର୍ଚ୍ଚାରେ ୭୩।୩୭

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯୁବ ନେତାଙ୍କୁ ଗୁରୁତ୍ବ ଦେଉଛନ୍ତି ବିଭିନ୍ନ ରାଜନୈତିକ ଦଳ। ସେହିପରି ବିଜେପିର ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟିର ମଙ୍ଗ ମଧ୍ୟ ଧରିଛନ୍ତି ସାଂସଦ ଚିରାଗ ପାଶଓ୍ୱାନ୍। ଦଳର ପ୍ରତିଷ୍ଠାତା ତଥା ବିଦାୟୀ ସୁପ୍ରିମୋ ରାମବିଳାସ ପାଶଓ୍ୱାନ (୭୩) ଆଜି ଏହା ଘୋଷଣା କରିଛନ୍ତି। ଆଜି ଦିଲ୍ଲୀରେ ଦଳର ବୈଠକ ବସିଥିଲା, ଏହି ବୈଠକରେ ଚିରାଗଙ୍କ ନାମରେ ମୋହର ମରାଯାଇଥିବା କେନ୍ଦ୍ରମନ୍ତ୍ରୀ ରାମବିଳାସ କହିଛନ୍ତି। ସୂଚନାଯୋଗ୍ୟ, ରାମବିଳାସ ପାଶଓ୍ୱାନଙ୍କ ପୁଅ ହେଉଛନ୍ତି ଚିରାଗ। ଯାହାଙ୍କ ବୟସ ୩୭ବର୍ଷ

୨୦୦୦ ମସିହାରେ ରାମବିଳାସ ପାଶଓ୍ୱାନ ଏହି ଦଳ ଗଢ଼ିଥିଲେ। ବିହାରରେ ମଧ୍ୟ ବିଜେପି-ଜେଡିୟୁ ମେଣ୍ଟ ସହ ଏଲଜେପି ରହିଛି। ଲୋକସଭା ନିର୍ବାଚନ ବେଳେ ଏହି ତିନି ଦଳ ମିଶି ବିହାରରେ ନିର୍ବାଚନ ଲଢ଼ିଥିଲେ। ଦେଶ ଏବଂ ରାଜ୍ୟରେ ପରିବର୍ତ୍ତିତ ରାଜନୀତିକୁ ଦେଖି ରାମବିଳାସ ଦଳର ଉତ୍ତରାଧିକାରୀଙ୍କୁ ନେତୃତ୍ୱ ନେବାର ସମୟ ଆସିଛି ବୋଲି ବିଚାର କରିଥିଲେ। ଏହାପରେ ଦଳୀୟ ନେତାଙ୍କ ସହମତି କ୍ରମେ ଚିରାଗଙ୍କୁ ଦଳର ସଭାପତି କରାଯାଇଛି।

ବୟସକୁ ନେଇ ଚର୍ଚ୍ଚା:
ଏବେ ରାମବିଳାସ ପୁଅ ଚିରାଗଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିବା ପରେ ଦୁଇ ଜଣଙ୍କ ବୟସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ରାମବିଳାସଙ୍କ ବୟସ ୭୩ ଏବଂ ଚିରାଗଙ୍କ ବୟସ ୩୭। ୭୩କୁ ଓଲଟାଇଲେ ୩୭ ହେଉଛି। ଉଲ୍ଲେଖନୀୟ ହେଉଛି, ୭୩ ବର୍ଷ ବୟସରେ ରାମବିଳାସ ଦଳୀୟ କ୍ଷମତାରୁ ଓହରି ଯାଇଥିବା ବେଳେ ତାଙ୍କ ଆସନ ୩୭ ବର୍ଷୀୟ ପୁଅ ଚିରାଗଙ୍କ ହାତକୁ ଟେକି ଦେଇଛନ୍ତି।

ଚିରାଗ ଦ୍ୱିତୀୟ ଥର ପାଇଁ ଲୋକସଭାରେ ପ୍ରତିନିଧିତ୍ୱ କରୁଛନ୍ତି। ରାମବିଳାସ ପାଶଓ୍ୱାନ ଦଳର ସଭାପତି ଥିଲେ ମଧ୍ୟ ଦୀର୍ଘ ଦିନ ହେବ ଚିରାଗ ହିଁ ଦଳର ସମସ୍ତ ନିଷ୍ପତ୍ତି ନେଉଥିଲେ। ଯାହାକୁ ଶେଷରେ ଅନୁମୋଦନ କରୁଥିଲେ ବିଦାୟୀ ସଭାପତି ତଥା ପ୍ରତିଷ୍ଠାତା ରାମବିଳାସ ପାଶଓ୍ୱାନ୍।

Comments are closed.