Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ମହାନତା

ଥିରୁଅନନ୍ତପୁରମ୍: ଜଣେ ଭିନ୍ନକ୍ଷମଙ୍କ ପାଦ ସହ ହାତମିଳାଇ ମହାନତା ପ୍ରଦର୍ଶନ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରେଇ ବିଜୟନ। କେବଳ ସେତିକି ନୁହେଁ ତାଙ୍କ ସହ ନିଜ କାର୍ଯ୍ୟାଳୟରେ ବେଶ୍‌ କିଛି ସମୟ ବିତାଇଥିବା ବିଜୟନ୍‌ ତାଙ୍କ ପାଦରୁ ଚେକ୍‌ ସଂଗ୍ରହ କରିବା ସହ ସେଲ୍‌ଫି ମଧ୍ୟ ଉଠାଇଥିଲେ। ଏହି ଭିନ୍ନକ୍ଷମଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଫଟୋସବୁ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ସହ ବିଜୟନଙ୍କୁ ପ୍ରଶାଂସାର ସୁଅ ଛୁଟିଛି।

ପ୍ରଣବ ବାଲସୁବ୍ରମମନ୍ୟନ୍‌ ନାମକ ଏହି ଭିନ୍ନକ୍ଷମ ଚିତ୍ରଶିଳ୍ପୀଜଣକ କେରଳ ବନ୍ୟାପ୍ପୀଡ଼ିତଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିବା ଲାଗି ଗତକାଲି ବିଜୟନଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପ୍ରଣବଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ବେଶ୍‌ ଭାବପ୍ରବଣ ହେବା ସହ ଆନନ୍ଦ ପ୍ରକାଶ କରି ଏ ସମ୍ପର୍କରେ ଏକ୍‌ ଟ୍ବିଟ୍‌ ମଧ୍ୟ ଲେଖିଥିଲେ।

ଦୁଇଟି ଯାକ ହାତ ନ ଥିବା ପ୍ରଣବଙ୍କ ପାଦ ସହ ନିଜର ହାତ ମିଳାଇ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ବିଜୟନ୍। ପରେ ପ୍ରଣବଙ୍କ ପାଦରୁ ସେ ଏକ ଚେକ୍‌ ଗ୍ରହଣ କରିଥିଲେ। ଉଭୟେ ବେଶ୍‌ କିଛି ସମୟ ଏକାଠି ବିତାଇଥିବା ବେଳେ ଫେରିବା ପୂର୍ବରୁ ପ୍ରଣବ ନିଜ ଗୋଡ଼ରେ ମୋବାଇଲ୍‌ ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଏକ ସେଲ୍‌ଫି ନେଇଥିଲେ।
ପ୍ରଣବ ନିଜର ପାଦରେ ତୂଳୀ ଧରି ସୁନ୍ଦର ଚିତ୍ର ଆଙ୍କିପାରନ୍ତି।

Comments are closed.