ଅଧସ୍ତନଙ୍କୁ ସରକାରୀ ଛାଟ: ଏଣିକି ‘ଭାଇ’ ନୁହେଁ, ଡାକିବେ ‘ସାର୍’

ଭୁବନେଶ୍ବର: ଓଡ଼ିଶା ସରକାର ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧସ୍ତନ କର୍ମଚାରୀମାନେ ନିଜ ଠାରୁ ବରିଷ୍ଠ ଅଧିକାରୀଙ୍କୁ ଭାଇ ନ ଡାକିବା ଲାଗି ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି।
ନଭେମ୍ବର ୧୬ ତାରିଖରେ ନିର୍ଦ୍ଦେଶକ ରତ୍ନାକାର ରାଉତଙ୍କ ଦସ୍ତଖତରେ ଆସିଥିବା ଏହି ନିର୍ଦ୍ଦେଶନାମାରେ କୁହାଯାଇଛି, “ଅନେକ ଅଧିକାରୀ ଏସ୍ଡିଭିଓ / ସିଡିଭିଓ / ଯୁଗ୍ମ ନିର୍ଦ୍ଦେଶକ ଭଳି ବରିଷ୍ଠ ଅଧିକାରୀଙ୍କୁ ‘ଭାଇ’ ବୋଲି ଡାକୁଥିବାର ଦେଖାଯାଇଛି। ଓଡ଼ିଶା ସରକାରଙ୍କ ଆଚରଣ ସଂହିତା ୧୯୫୯କୁ ଏଭଳି ସମ୍ବୋଧନ ଅମାନ୍ୟ କରୁଛି। ଏହି ଚିଠି ଦ୍ବାରା ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଉଛି ଯେ ଏଣିକି ସମସ୍ତେ କାର୍ଯ୍ୟାଳୟରେ ଶିଷ୍ଟାଚାର ପ୍ରଦର୍ଶନ କରିିବେ। ଏଥିରେ ଖିଲାପ କଲେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ।”
ତେବେ ଆଶ୍ଚର୍ଯ୍ୟର କଥା, ମହିଳା ଅଧିକାରୀମାନଙ୍କ ପାଇଁ ଏ ନିିର୍ଦ୍ଦେଶନାମାରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ବରିଷ୍ଠ ମହିଳା ଅଧିକାରୀଙ୍କୁ ନାନୀ, ଭଉଣୀ, ଦିଦି ବା ଅନ୍ୟ ସମ୍ବୋଧନ କରାଯିବା ନେଇ ଏ ଚିଠିରେ କୌଣସି ଉଲ୍ଲେଖ ନାହିଁ।