Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ୬,୮୧୭ କର୍ମଚାରୀ, ଚାକିରି ହରାଇଲେଣି ୬୪

ଭୁବନେଶ୍ବର: ଏବେ ରାଜ୍ୟର ମୋଟ ୬,୮୧୭ ଜଣ ସରକାରୀ କର୍ମଚାରୀ ଦୁର୍ନୀତି ବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଏମାନଙ୍କ ମଧ୍ୟରେ ୮୯୫ ଜଣ ଗ୍ରୁପ୍-ଏ ଅଧିକାରୀ ମଧ୍ୟ ଅଛନ୍ତି। ଏ ସମସ୍ତଙ୍କ ନାମରେ ରାଜ୍ୟର ବିଭିନ୍ନ ନ୍ୟାୟାଳୟରେ ମାମଲା ବିଚାରାଧୀନ ରହିଛି। ଗତକାଲି ବିଧାନସଭାରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ଏ ସୂଚନା ଦେଇଛନ୍ତି ଗୃହ ବିଭାଗର ଦାୟିତ୍ବ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଛନ୍ତି ଯେ ବର୍ତ୍ତମାନ ୮୯୫ ଜଣ ଗ୍ରୁପ୍-ଏ ଅଧିକାରୀ, ୭୯୮ ଜଣ ଗ୍ରୁପ୍-ବି ଅଧିକାରୀ, ୩,୫୩୫ ଗ୍ରୁପ୍-ସି, ୧୯୩ ଗ୍ରୁପ୍‌-ଡି ଓ ୧,୩୯୬ ଜଣ ଅନ୍ୟାନ୍ୟ କର୍ମଚାରୀଙ୍କ ନାମରେ ଏବେ ଭିଜିଲାନ୍ସ ମାମଲା ଚାଲୁ ରହିଛି। ଏସବୁ ମାମଲାକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟର ବିଭିନ୍ନ ଭିଜିଲାନ୍ସ କୋର୍ଟରେ ପ୍ରଜେକ୍ୟୁସନ୍‌ ଲାୟାଜନିଂ ଅଫିସର ନିଯୁକ୍ତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେେଇଛଡ଼୍ତି। ଏତଦ୍‌ ଭିନ୍ନ ଭିଜିଲାନ୍ସ ଏସ୍‌ପିମାନେ ନିୟମିତ ସ୍ବତନ୍ତ୍ର ବିଚାରପତିମାନଙ୍କ ସହ ଆଲୋଚନା କରି ଅଭିଯୁକ୍ତମାନଙ୍କ ବିଚାର ଶୀଘ୍ର ଶେଷ କରିବାକୁ ଉଦ୍ୟମ କରୁଛନ୍ତି।

ବିଶ୍ବସ୍ତ ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ରାଜ୍ୟ ସରକାର ଏବେ ମୋ ସରକାର ଯୋଜନାରେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଥିବା ବେଳେ ଏହି ବିଚାରାଧୀନ କର୍ମଚାରୀମାନଙ୍କ ମଧ୍ୟରୁ ଅନେକେ ଅଭିଯୋଗ ସାବ୍ୟସ୍ତ ହେଲେ ଚାକିରି ହରାଇ ପାରନ୍ତି। ନିକଟ ଅତୀତରେ ଓଡ଼ିଶା ପ୍ରଶାସନିକ ଅଧିକାରୀ ଓ ଉପଖଣ୍ଡ ବନ ଅଧିକାରୀ ସମେତ ପାଖାପାଖି ୨୦ ଜଣ ସରକାରୀ କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହା ଭିନ୍ନ ୪୪ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୧୧ ଜଣଙ୍କର ପେନସନ୍‌ ସ୍ଥଗିତ ରଖାଯାଇଛି।

Comments are closed.