ମଧ୍ୟାହ୍ନ ଭୋଜନରେ ମୂଷା, ହସ୍ପିଟାଲରେ ଭର୍ତ୍ତି ହେଲେ ୯ ଛାତ୍ରଛାତ୍ରୀ

ଲକ୍ଷ୍ନୌ: ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନ। ଛୋଟ ଛୁଆଙ୍କ ପାଇଁ କିଭଳି ବେପରୁଆ ଭାବରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ପୁଣି ଥରେ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଏକ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ପ୍ରସ୍ତୁତ ହୋଇଥିବା ରନ୍ଧା ଖାଦ୍ୟରେ ମଲା ମୂଷା ପଡ଼ିଥିବା ଦେଖିବାକୁ ମିଳିଛି। ଆଉ ଏହି ଅସ୍ୱାସ୍ଥ୍ୟକର ରନ୍ଧା ଖାଦ୍ୟକୁ ଖାଇ ୯ ଜଣ ଛାତ୍ରଛାତ୍ରୀ ଏବଂ ଜଣେ ଶିକ୍ଷକ ଅସୁସ୍ଥ ହୋଇଛନ୍ତି। ଏବେ ହସ୍ପିଟାଲରେ ଏହି ସମସ୍ତେ ଚିକିତ୍ସାଧୀନ ଅଛନ୍ତି।
୬ଷ୍ଠ ଶ୍ରେଣୀରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନା ଜରିଆରେ ଖାଇବା ପ୍ରସ୍ତୁତ ହୋଇଥିଲା। ମୁଜାଫରନଗର ଜିଲ୍ଲାର ହପୁର ସ୍ଥିତ ଏନଜିଓ ଜନ କଲ୍ୟାଣ ସଂସ୍ଥା କମିଟି ଏହି ଖାଦ୍ୟ ପ୍ରସ୍ତୁତ କରିଥିଲା। ଏହି ଘଟଣାରେ ରାଜ୍ୟ ସରକାର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଜିଲ୍ଲାପାଳ ଜନ କଲ୍ୟାଣ ସଂସ୍ଥା କମିଟି ବିରୋଧରେ ଏତଲା ଦେବାକୁ ନିର୍ଦ୍ଦେଶ ଦେବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।